ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ଲଢେଇ । ନିର୍ବାଚନରେ ବାଜିମାତ୍ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଦଳ । ଗୋଟିଏ ପଟେ ୟୁପିରେ ନିର୍ବାଚନୀ ଉଷ୍ଣତା ଲାଗି ରହିଥିବାବେଳେ ଅନ୍ୟପଟେ ହୁ ହୁ ହୋଇ ମାଡିଚାଲିଛି ଓମିକ୍ରନ । ଏପରିକି ଭାରତରେ କୋଭିଡ-୧୯ ତୃତୀୟ ଲହର ଆସିବାର ସମ୍ଭାବନା ଘନୀଭୂତ ହୋଇଛି । ଏପରି ସ୍ଥିତିରେ ରାଜ୍ୟରେ ନିର୍ବାଚନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଘୁଞ୍ଚାଇବାକୁ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କ ନିବେଦନ କରିଛନ୍ତି ଉଚ୍ଚ ନ୍ୟାୟାଳୟ ।
ହାଇକୋର୍ଟ କହିଛନ୍ତି, ବିଶ୍ବବ୍ୟାପୀ ଓମିକ୍ରନ ମାମଲା ବୃଦ୍ଧି ପାଉଛି । ବିଭିନ୍ନ ୟୁରୋପୀୟ ରାଷ୍ଟ୍ରରେ ସ୍ଥିତି ଉଦବେଗଜନକ ରହିଛି । ବଢୁଥିବା ସଂକ୍ରମଣକୁ ଦେଖି ତୃତୀୟ ଲହର ସମ୍ଭାବନା ମଧ୍ୟ ବଢିଛି । ସ୍ଥିତିରେ ସୁଧାର ପାଇଁ ଚୀନ, ନେଦରଲ୍ୟାଣ୍ଡ ଏବଂ ଜର୍ମାନୀ ଭଳି ବିଭିନ୍ନ ରାଷ୍ଟ୍ର ନିଜ ନିଜ ଦେଶରେ ପୂର୍ଣ୍ଣ ଓ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି । ପୂର୍ବରୁ ଦେଶରେ ପଞ୍ଚାୟତ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ବହୁସଂଖ୍ୟକ ଲୋକେ ସଂକ୍ରମିତ ଏବଂ ପ୍ରାଣ ହରାଇବାର ଦୃଷ୍ଟାନ୍ତ ରହିଛି । ଏପରି ସ୍ଥଳେ ୟୁପି ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ରାଲି ଏବଂ ସଭା ଜରିଆରେ ଏକଜୁଟ ହେଉଛନ୍ତି । ଯାହାଦ୍ବାରା ପୂର୍ବଭଳି ସ୍ଥିତି ଭୟଙ୍କର ହେବାର ସମ୍ଭାବନା ରହିଥିବା ଚେତାଇଛନ୍ତି କୋର୍ଟ ।