ନୂଆଦିଲ୍ଲୀ: ଆସନ୍ତାକାଲିଠୁ(ମଙ୍ଗଳବାର) ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଫେବୃଆରୀ 1ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ କରିଛନ୍ତି କେନ୍ଦ୍ର ସରକାର । ଜାତୀୟ ରଜଧାନୀ ଦିଲ୍ଲୀରେ ସର୍ବଦଳୀୟ ବୈଠକରେ ଗୃହରେ ଫଳପ୍ରଦ ଆଲୋଚନା ପାଇଁ ବିରୋଧୀଙ୍କ ସହଯୋଗ ଲୋଡିବେ କେନ୍ଦ୍ର ସରକାର ।
ଅପରାହ୍ନ 1ଟାରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ବାରା ପାରମ୍ପରିକ ଭାବେ ବୈଠକ ଆହୁତ ହୋଇଛି । ଏଥିବେ ସଂସଦରେ ପ୍ରତିନିଧିତ୍ବ ଥିବା ପ୍ରାୟ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହିଛନ୍ତି । ବୈଠକରେ ବିରୋଧୀ ଦଳ ଚଳିତ ଅଧିବେଶନରେରେ ସେମାନଙ୍କ ଦ୍ବାରା ଉଠାଯିବାକୁ ଥିବା ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁମତି ଦାବି କରିବେ । ସେହିପରି ଅଧିବେଶନର ଫଳପ୍ରଦତା ଓ ଶୃଙ୍ଖଳିତ ଗୃହ ପରିଚାଳନା ପାଇଁ ସରକାର ବିରୋଧୀ ଦଳଙ୍କ ସହଯୋଗ ଆଶା କରିବେ । ସଂସଦର ଅନେକ୍ସ ବିଲ୍ଡିଂରେ ବୈଠକ ହୋଇଛି । ଏହା ସହିତ ଏନଡିଏ ଫ୍ଲୋର ଲିଡରଙ୍କର ଏକ ବୈଠକ ମଧ୍ୟ ରଖାଯାଇଛି । ବୈଠକରେ କଂଗ୍ରେସ ଦଳର ନେତା ସାମିଲ ହୋଇନାହାନ୍ତି । ସରକାରୀ ସୂତ୍ର ଅନୁଯାୟୀ ଉଭୟ ମଲ୍ଲିକାର୍ଜୁନ ଖଡଗେ ଏବଂ ଆଧୀର ରଞ୍ଜନ ଚୌଧୁରୀ ଆଜି ଶ୍ରୀନଗରରେ ଶେଷ ହୋଇଥିବା ଭାରତ ଯୋଡା ଯାତ୍ରା କାରଣରୁ ବୈଠକରେ ସାମିଲ ହୋଇନଥିବା ଜଣାପଡିଛି ।