ଗାନ୍ଧୀନଗର:ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly poll)ରେ ବିଜେପିର ବିକଳ୍ପ ହେବାକୁ ଅଣ୍ଟା ଭିଡିଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି (AAP) । କିନ୍ତୁ ଗତକାଲି ସରୁଟ-ପୂର୍ବ ଆସନରୁ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବା କଞ୍ଚନ ଜରିଓ୍ବାଲାଙ୍କ ଅପ୍ରତ୍ୟାଶିତ ଭାବେ ନିଜ ନାମାଙ୍କନ ପ୍ରତ୍ୟାହାର କରିବା ଘଟଣା ପାର୍ଟିରେ ଭୟ ସୃଷ୍ଟି କରିଛି । ତେଣୁ ନିର୍ବାଚନ ପୂର୍ବରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା କୌଣସି ଦଳୀୟ ପ୍ରାର୍ଥୀ ଯେପରି କୌଣସି ପରିସ୍ଥିତିରେ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର ନକରିପାରିବେ ସେ ନେଇ ଦଳ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ଦଳ ନିଜର ସମସ୍ତ ପ୍ରାର୍ଥୀଙ୍କୁ ଏକାଠି କରି ଏକ ଅଜ୍ଞାତ ସ୍ଥାନରେ ରଖିଥିବାର ଚର୍ଚ୍ଚା ହେଉଛି । କୌଣସି ଦଳୀୟ ନେତା ଯେପରି ଅନ୍ୟ ପାର୍ଟିର ନେତାଙ୍କ ଦ୍ବାରା ଚାପଗ୍ରସ୍ତ କିମ୍ବା ଧମକର ଶିକାର ହୋଇ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନ ନିଅନ୍ତି ସେଥିପାଇଁ ଦଳ ଏପରି କରିଥିବା ସୂଚନା ମିଳିଛି ।
ତେବେ ରାଜ୍ୟରେ ଏପରି ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାକୁ ଆମ ଆଦମୀ ପାର୍ଟିର ମୁଖପାତ୍ର କିନ୍ତୁ ଖଣ୍ଡନ କରିଛନ୍ତି । ପ୍ରାର୍ଥୀଙ୍କୁ କେଉଁଠାକୁ ନିଆଯାଇନି ବରଂ ସେମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରଚାରରେ ବ୍ୟସ୍ତ ରହିଥିବା କହିଛନ୍ତି ଦଳର ମୁଖପାତ୍ର ଯୋଗେଶ ଜାଡବାନୀ । ତେବେ ଗୁଜୁରାଟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା । ଗତକାଲି ନାଟକୀୟ ଢଙ୍ଗରେ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥିଲେ ଆପ ପ୍ରାର୍ଥୀ କଞ୍ଚନ ଜରିଓ୍ବାଲା ।