ଲକ୍ଷ୍ନୌ:କେନ୍ଦ୍ର ଆଣିଥିବା ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ଲାଗି ରହିଛି । ବିରୋଧୀ ଏହାକୁ ନେଇ ସରକାରଙ୍କୁ ଆକ୍ରମଣ କରୁଥିବା ବେଳେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଧ୍ୟ ଅଗ୍ନିପଥ ଯୋଜନାକୁ କଡା ସମାଲୋଚନା କରିଛନ୍ତି । ଏହି ଯୋଜନା ଏକ ଠକେଇ ଓ ଭବିଷ୍ୟତର ଯବାନଙ୍କ ଆଶା ଓ ବିଶ୍ବାସ ସହ ଏକ ଧୋକା ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି ମଲ୍ଲିକ ।
ଗତକାଲି ମଲ୍ଲିକ କହିଛନ୍ତି ସେନାରେ 4 ବର୍ଷ କାର୍ଯ୍ଯ ଶେଷ କରି ବିନା ପେସନସନରେ ଅବସର ନେବା ପରେ ଅଗ୍ନିବୀରଙ୍କୁ ବିବାହ ଯୋଗ୍ୟ ପ୍ରସ୍ତାବ ମଧ୍ୟ ମିଳିବ ନାହିଁ । ପୂର୍ବରୁ ଜମ୍ମୁ କାଶ୍ମୀର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇ ସାରିଥିବା ଓ ଏବେ ମେଘାଳୟର ରାଜ୍ୟପାଳ ଦାୟିତ୍ବରେ ଥିବା ମଲ୍ଲିକ ପୂର୍ବରୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ତୀକ୍ଷ୍ଣ ସମୋଲୋଚନା କରି ଆସିଛନ୍ତି । ଏହି ଯୋଜନାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ରାଜ୍ୟପାଳ ମଲ୍ଲିକଙ୍କ ଏବି ବୟାନ ବିରୋଧୀ ସମାଲୋଚନା ପାଇଁ ବଳ ଯୋଗାଇଛି ।