ଓଡିଶା

odisha

ETV Bharat / bharat

Manipur violence: ହିଂସାରେ ପୁଣି ଜଳିଲା ୧୫ ଘର, ଜଣଙ୍କୁ ଗୁଳିମାଡ - ମଣିପୁରରେ ଘର ଜାଳି ଦେଲେ

ଦିନକୁ ଦିନ ବଢ଼ୁଛି ମଣିପୁର ହିଂସାର ବର୍ବରତା । ଜଳିଗଲା ୧୫ଟି ଘର ଏବଂ ୪୫ ବର୍ଷୀୟ ବ୍ୟକ୍ତିର ବାମ ଗୋଡରେ ଗୁଳି ବାଜି ଆହତ ।

ମଣିପୁର ସାମ୍ପ୍ରଦାୟିକ ହିଂସା
ମଣିପୁର ସାମ୍ପ୍ରଦାୟିକ ହିଂସା

By

Published : Aug 7, 2023, 8:38 AM IST

ଇମ୍ପାଲ: ଥମିବାର ନାଁ ଧରୁନି ମଣିପୁର ହିଂସା । ଦିନକୁ ଦିନ ବଢ଼ୁଛି ହିଂସାର ବର୍ବରତା । ତିନି ମାସ ଧରି ଚାଲିଥିବା ସାମ୍ପ୍ରଦାୟିକ ହିଂସା ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଛି । ମଣିପୁରେ ହିଂସାରେ ପୁଣି ଜଳିଗଲା ୧୫ଟି ଘର । ଶନିବାର ସନ୍ଧ୍ୟା ସମୟରେ ଇମ୍ପାଲ ପଶ୍ଚିମ ଜିଲ୍ଲାର ଲାଙ୍ଗୋଲ ଗେମସ୍‌ ଗାଁରେ ଏକ ଜନସମାଗମ ଚାଲିଥିବା ବେଳେ ଏଭଳି ହିଂସା ଘଟିଥିବାର ସୂଚନା ମିଳିଛି ।

ସୂଚନା ଅନୁସାରେ, ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସୁରକ୍ଷା କର୍ମୀ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ । ଏହି ହିଂସାରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିର ବାମ ଗୋଡରେ ଗୁଳି ବାଜି ଆହତ ହୋଇଥିବା ବେଳେ ତାଙ୍କୁ ରିଜିୟୋନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ବ୍ୟକ୍ତି ଜଣଙ୍କ ବିପଦମୁକ୍ତ ଥିବା ଜଣାପଡିଛି ।

ତେବେ ରବିବାର ସକାଳେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଠାରେ ପ୍ରତିବନ୍ଧକ ଲାଗି ରହିଛି । ସେହିପରି ଇମ୍ଫାଲ ପୂର୍ବ ଜିଲ୍ଲାର ଚେକ୍କୋନ ଅଞ୍ଚଳରେ ମଧ୍ୟ ନୁଆ କରି ହିଂସା ଘଟିଥିବାର ସୂଚନା ମିଳିଛି, ଯେଉଁଠାରେ ଶନିବାର ଏକ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନରେ ଉପଦ୍ରବୀମାନେ ନିଆଁ ଲଗାଇ ଦଇଛନ୍ତି । ଏହାସହ ଏହାର ନିକଟରେ ଥିବା ୩ଟି ଘରେ ମଧ୍ୟ ନିଆଁ ଲାଗିଥିବାର ଅଗ୍ନିଶମ ବାହିନୀର କର୍ମଚାରୀମାନେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଥମୁନି ମଣିପୁର ହିଂସା, ଅସ୍ତ୍ରାଗାରରୁ ପ୍ରାୟ ୩୦୦ ଅସ୍ତ୍ରଶସ୍ତ୍ର ଲୁଟିନେଲେ ଦଙ୍ଗାକାରୀ

ଶନିବାର ଇମ୍ଫାଲ ଉପତ୍ୟକା ଅଞ୍ଚଳର ୨୭ ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଯୋଜକ କମିଟି ଦ୍ବାରା ଡକା ଯାଇଥିବା ୨୪ ଘଣ୍ଟିଆ ସାଧାରଣ ଧର୍ମଘଟରେ ମଧ୍ୟ ହିଂସା ଘଟିଥିବାର ସୂଚନା ମିଳିଛି । ଏହା ପୂର୍ବରୁ ଶୁକ୍ରବାର ମଧ୍ୟରାତ୍ରିରେ ବିଷ୍ଣୁପୁର ଜିଲ୍ଲାରେ ଜଣେ ବୃଦ୍ଧ ଏବଂ ତାଙ୍କ ପୁଅ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଦଙ୍ଗାକାରୀମାନେ ବନ୍ଧୁକ ଓ ଖଣ୍ଡା ଧରି କ୍ବାକ୍ଟା ଲମଖାଇ ଗାଁ ଉପରେ ଆକ୍ରମଣ କରିବା ସହ ଗୁଳି ମଧ୍ୟ ଚଳାଇ ଥିଲେ ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ଆକ୍ରମଣ ସମୟରେ ଅନ୍ୟ ଗ୍ରାମବାସୀମାନେ ସେଠାରୁ ଅନ୍ୟତ୍ର ପଳାଇଥିଲେ ।

ଅତିରିକ୍ତ ସଶକ୍ତିକରଣ ସହ ପୋଲିସ ଉକ୍ତ ସ୍ଥାନକୁ ଯାଇ ମୃତଦେହକୁ ଉଦ୍ଧାର କରିଛି । ତେବେ ମୃତକମାନେ ହେଉଛନ୍ତି ୟୁମ୍ନାମ ପିଷାକ ମୈତେଇ (୬୭) ଏବଂ ତାଙ୍କ ପୁଅ ୟୁମ୍ନାମ ପ୍ରେମକୁମାର ମୈତେଇ(୩୯) ଓ ତାଙ୍କ ପଡୋଶୀ ୟୁମ୍ନାମ ରିତେନ ମୈତେଇ(୪୬) । ଗତ ମେ ମାସରୁ ତିନି ମାସ ଧରି ମଣିପୁରରେ ଚାଲିଥିବା ସାମ୍ପ୍ରଦାୟିକ ହିଂସା ଚାଲିଥିବା ବେଳେ ଏଥିରେ ଅନେକ ଲୋକ ପ୍ରାଣ ହରାଇଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details