ଓଡିଶା

odisha

ETV Bharat / bharat

ରାହୁଲଙ୍କଠୁ ବଳିଗଲେ ଦିଦି: କହିଲେ ‘ପାପୀ’ଙ୍କ ପାଇଁ ଫାଇନାଲରେ ହାରିଲା ଭାରତ

ବିଶ୍ବକପ ସରିଲା ହେଲେ, ସରୁନି ରାଜନୀତି । ରାହୁଲଙ୍କ ‘ପନୌତି’ ମନ୍ତବ୍ୟ ପରେ ଦିଦି କହିଲେ ପାପୀ ମ୍ୟାଚ ଦେଖିବାକୁ ଯିବାରୁ ହାରିଲା ଭାରତ । ଅହମ୍ମଦାବାଦରେ ଆୟୋଜନକୁ ନେଇ ଉଠାଇଲେ ପ୍ରଶ୍ନ । ଅଧିକ ପଢନ୍ତୁ

ରାହୁଲଙ୍କ ପରେ ମମତା, କହିଲେ ଅନ୍ୟ ସବୁ ମ୍ୟାଚ ଜିତିଲା, ପାପୀଙ୍କ ପାଇଁ ଫାଇନାଲରେ ହାରିଲା ଭାରତ
ରାହୁଲଙ୍କ ପରେ ମମତା, କହିଲେ ଅନ୍ୟ ସବୁ ମ୍ୟାଚ ଜିତିଲା, ପାପୀଙ୍କ ପାଇଁ ଫାଇନାଲରେ ହାରିଲା ଭାରତ

By ETV Bharat Odisha Team

Published : Nov 23, 2023, 6:28 PM IST

କୋଲକାତା:ଭାରତର ପରାଜୟ ସହ କ୍ରିକେଟ ବିଶ୍ବକପ 2023 ଶେଷ ହେଲା । ମାତ୍ର ଏହା ପରେ ଆରମ୍ଭ ହୋଇଥିବା ରାଜନୀତି ଥମିବାର ନାଁ ନେଉନି । ନିର୍ବାଚନ ସମୟରେ ଭାରତରେ ଆୟୋଜିତ ହୋଇଥିବା ବିଶ୍ବକପ ଓ ଏହାର ଫାଇନାଲ ମ୍ୟାଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଡିୟମରେ ଖେଳ ଦେଖିବାକୁ ନେଇ ରାଜନୀତି ଜାରି ରହିଛି । ବିଭିନ୍ନ କାରଣ ପାଇଁ ଟିମ୍‌ ଇଣ୍ଡିଆର ପରାଜୟ ସହ ପ୍ରଧାନମନ୍ତ୍ରୀଙ୍କୁ ଯୋଡି ସମାଲୋଚନା ଓ କଟାକ୍ଷ ଜାରି ରଖିଛନ୍ତି ବିରୋଧୀ ।

ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ‘ପନୌତି’ ଶବ୍ଦ ବ୍ୟବହାର କରି ନିର୍ବାଚନ ଆୟୋଗର ନୋଟିସ୍‌ ପାଇଥିବା ବେଳେ ସମାଲୋଚନାରେ ଆଉ ପାଦେ ଆଗେଇ ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଶ୍ବକପର ସମସ୍ତ ମ୍ୟାଚରେ ଭାରତ ବିଜୟ ହାସଲ କଲା । ମାତ୍ର ଗୋଟିଏ ମ୍ୟାଚରେ ପାପୀମାନେ ମ୍ୟାଚ ଦେଖିବାକୁ ଯିବା କାରଣରୁ ଭାରତ ହାରିଲା ବୋଲି କହିଛନ୍ତି ଦିଦି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରବିବାର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ମ୍ୟାଚ ଦେଖିଥିଲେ ।


ଆଜି (ଗୁରୁବାର) କୋଲକାତା ସ୍ଥିତି ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ମମତା ବିଜେପିକୁ ଟାର୍ଗେଟ କରିବାକୁ ଯାଇ କ୍ରିକେଟ ମୁହାଁ ହେବାକୁ ମଧ୍ୟ ପଛାଇ ନଥିଲେ । କହିଥିଲେ ବିଶ୍ବକପରେ ଭାରତ ସବୁ ମ୍ୟାଚ ଜିତିଲା । କେବଳ ପାପୀମାନେ ଆସିଥିବା ମ୍ୟାଚରେ ପରାଜିତ ହେଲା । ଯଦି ଏହି ଫାଇନାଲ ମ୍ୟାଚ କୋଲକାତାର ଇଡେନ ଗାର୍ଡେନ ଗ୍ରାଉଣ୍ଡ କିମ୍ବା ମୁମ୍ବାଇର ଓ୍ବାଙ୍ଖଡେରେ ଖେଳାଯାଇଥାନ୍ତା, ତେବେ ଭାରତ ବିଜୟୀ ହୋଇଥାନ୍ତା ।

କେବଳ ପ୍ରଧାନମନ୍ତ୍ରୀ ଓ ଅନ୍ୟ ବିଜେପି ନେତାଙ୍କ ଗ୍ରାଉଣ୍ଡରେ ଉପସ୍ଥିତି ନୁହେଁ ବରଂ କ୍ରିକେଟରଙ୍କ ଜର୍ସିର ରଙ୍ଗ ଗେରୁଆ ହେବାକୁ ନେଇ ମଧ୍ୟ ବର୍ଷିଛନ୍ତି ଦିଦି । ବିଜେପିର ଦଳୀୟ ରଙ୍ଗ ସହ ସମ୍ପର୍କିତ ରଙ୍ଗର ଜର୍ସିକୁ ଖେଳାଳୀମାନଙ୍କୁ ପରିଧାନ କରାଯାଉଛି । ସେମାନେ ସାଧାରଣତଃ ନୀଳ ରଙ୍ଗର ଜର୍ସି ପିନ୍ଧନ୍ତି । ସେମାନଙ୍କୁ ଅଭ୍ୟାସ ବେଳେ ଗେରୁଆ ରଙ୍ଗର ଜର୍ସି ପିନ୍ଧିବାକୁ ଦିଆଯାଉଛି । କ୍ରିକେଟରମାନେ ଏହି ରଙ୍ଗର ଜର୍ସି ପିନ୍ଧିବାକୁ ଅନିଚ୍ଛା ପ୍ରକାଶ କରୁଥିବା ମଧ୍ୟ ମମତା କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ପ୍ରଧାନମନ୍ତ୍ରୀଙ୍କୁ ‘ପନୌତି’ କହି ଅଡୁଆରେ ରାହୁଲ, ନୋଟିସ ଜାରି କଲା ନିର୍ବାଚନ ଆୟୋଗ

ତେବେ ବିଶ୍ବକପ ଫାଇନାଲ ମ୍ୟାଚ ପରେ ଏହି ରାଜନୈତିକ ବୟାନବାଜୀ ଜାରି ରହିଛି । ପ୍ରଥମେ ଶିବସେନା ନେତା ସଞ୍ଜୟ ରାଉତ ଅହମ୍ମଦାବାଦ ସ୍ଥିତି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ରଖାଯିବାକୁ ନେଇ ପ୍ରଶ୍ନ ଉଠାଇଥିଲେ । କ୍ରିକେଟକୁ ରାଜନୈତିକ ଇଭେଣ୍ଟରେ ପରିଣତ କରାଯାଉଥିବା ସଞ୍ଜୟ କହିଥିଲେ । ଏହା ପରେ ଭାରତର ପରାଜୟକୁ ନେଇ ନିର୍ବାଚନୀ ସଭାମଞ୍ଚରେ ମୋଦିଙ୍କୁ ପରୋକ୍ଷରେ ପନୌତି କହିଥିଲେ ରାହୁଲ । ଏବେ ନରେନ୍ଦ୍ର ମୋଦି ତଥା ବିଜେପିର କଠୋର ବିରୋଧୀ ମମତା ବାନାର୍ଜୀଙ୍କ ପାପୀ ଉପାଖ୍ୟାନ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details