ନୂଆଦିଲ୍ଲୀ: ଟ୍ବିଟର ପାଇଁ ବଢିଲା ଅଡୁଆ । ଭାରତରେ ପାଉଥିବା ଆଇନଗତ ସୁରକ୍ଷା ହରାଇଲା ଟ୍ବିଟର । ଭାରତ ସରକାରଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ନୂଆ IT ନିୟମକୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ନ ମାନିବା କାରଣରୁ ତାକୁ ଦେଶରେ ଆଇନଗତ ସୁରକ୍ଷା ହରାଇବାକୁ ପଡିଛି । ଏଣିକି ଯଦି କୌଣସି ବ୍ୟକ୍ତି ଟ୍ବିଟରରେ କିଛି ବି ପ୍ରକାର ବିଭ୍ରାନ୍ତିକର କିମ୍ବା ଅପରାଧୀକ ଉତ୍ତେଜନା ସୃଷ୍ଟି କଲାଭଳି ମନ୍ତବ୍ୟ ପୋଷ୍ଟ କରିବ ତେବେ IPC ର ବିଭିନ୍ନ ଦଫା ଅଧାରରେ କମ୍ପାନୀ ଏଥିପାଇଁ ସିଧାସଳଖ ଦାୟୀ ରହିବ । ସେପଟେ ଆଇନଗତ ସୁରକ୍ଷା ହରାଇବା ପରେ ପ୍ରତିକ୍ରିୟା ରଖିଛି ଟ୍ବିଟର ।
ଏନେଇ ଟ୍ବିଟର ମୁଖପାତ୍ର କହିଛନ୍ତି ଯେ ସେମାନେ ଭାରତ ସରକାରଙ୍କ ନୂଆ IT ନିୟମକୁ ମାନିବାକୁ କମ୍ପାନୀ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ସେମାନେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ପ୍ରତ୍ୟେକ ପଦକ୍ଷେପରେ ଅଗ୍ରଗତି ବିଷୟରେ ଅବଗତ କରୁଛନ୍ତି ଏବଂ ଜଣେ ଅନ୍ତରୀଣ ମୁଖ୍ୟ ନିୟନ୍ତ୍ରଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ଖୁବଶୀଘ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସହିତ ସବିଶେଷ ତଥ୍ୟ ସେୟାର କରାଯିବ ବୋଲି କମ୍ପାନୀ ମୁଖପାତ୍ର ପ୍ରକାଶ କରିଛନ୍ତି । ଆଜି(ବୁଧବାର) ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଟ୍ବିଟର IT ନିୟମ ନ ମାନିବା କାରଣରୁ ଭାରତରେ ଏକ ମଧ୍ୟସ୍ଥି ପ୍ଲାଟଫର୍ମ ଭାବେ ନିଜର ଅସ୍ତିତ୍ବ ହରାଇଛି ।