ନୂଆଦିଲ୍ଲୀ:ଏଲପିଜି ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର । ଘରୋଇ ଏଲପିଜି ସିଲିଣ୍ଡର ପରେ ଆଜି ଦେଶରେ ୧୯ କେଜି କମର୍ସିଆଲ ଗ୍ୟାସ୍ ଦର ୧୫୮ ଟଙ୍କା ହ୍ରାସ ପାଇଛି । ଆଜିଠୁ ସାରା ଦେଶରେ ଏହି ନୂଆ ଦର ଲାଗୁ ହେବ । ଦର କମିବା ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧,୫୨୨ ଟଙ୍କାକୁ ଖସି ଆସିଛି । ଏହାପୂର୍ବରୁ ଏଠାରେ ଦର ୧,୬୮୦ ଟଙ୍କା ରହିଥିଲା ।
ରକ୍ଷା ବନ୍ଧନର ଦିନକ ପୂର୍ବରୁ କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡର ଦାମରେ ୨୦୦ ଟଙ୍କା ହ୍ରାସ କରି ମହିଳାଙ୍କୁ ଭେଟି ଦେଇଥିଲେ । ଯାହାଫଳରେ ପୂର୍ବରୁ ୨୦୦ ଟଙ୍କାର ସବସିଡି ପାଉଥିବା ଉଜ୍ଜଳା ହିତାଧିକାରୀଙ୍କ ଡବଲ ଲାଭ ହୋଇଥିଲା । ତେବେ ଅନେକ ଦିନ ଧରି ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା । କେବଳ କର୍ମସିଆଲ ସିଲିଣ୍ଡର ଦାମ୍ ସଂଶୋଧନ କରାଯାଇଥିଲା । ଅଗଷ୍ଟ ପହିଲାରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ ୯୯ ଟଙ୍କା ୭୫ ପଇସା କମିଥିଲା । ଏହାର ପୂର୍ବ ମାସ ଜୁଲାଇରେ ଏହି ଗ୍ୟାସ୍ ଦର ୭ ଟଙ୍କା ବୃଦ୍ଧି ପାଇଥିଲା ।
ଏହି ବୃଦ୍ଧି ପୂର୍ବରୁ ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନି ଗତ ମେ' ଓ ଜୁନରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ଯଥାକ୍ରମେ ୧୭୨ ଟଙ୍କା ଓ ୮୩ ଟଙ୍କା ଶସ୍ତା କରିଥିଲେ । ତେବେ ଆଗକୁ ଲୋକସଭା ନିର୍ବାଚନ ଆସୁଛି । ତେଣୁ ଏହି ଗ୍ୟାସ୍ ଦର ହ୍ରାସ ସରକାରଙ୍କ ନିର୍ବାଚନୀ ଥୋପ ବୋଲି ଚର୍ଚ୍ଚା ହେଉଛି ।