ନୂଆଦିଲ୍ଲୀ:ସର୍ବୋଚ୍ଚ କୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠକୁ ଗଲା ଗୋଧ୍ରା ଦଙ୍ଗା ମାମଲାରେ ଗିରଫ ହୋଇ ଅନ୍ତରୀଣ ଜାମିନରେ ଥିବା ସାମାଜିକ କର୍ମୀ ତିସ୍ତା ସେତଲଓ୍ବାଡଙ୍କ ବେଲ ଆବେଦନ । ତିସ୍ତା ଏବେ ଅନ୍ତରୀଣ ଜାମିନରେ ଅଛନ୍ତି । ହେଲେ ତାଙ୍କ ନିୟମିତ ବେଲ ଆବେଦନ ଖାରଜ କରିବା ସହ ତୁରନ୍ତ ଆତ୍ମସମର୍ପଣ କରିବା ପାଇଁ ଗୁଜୁରାଟ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସେ ସର୍ବୋଚ୍ଚ କୋର୍ଟରେ ଜାମିନ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି 2 ବିଚାରପତି କରିଥିବା ବେଳେ ସହମତି ପ୍ରକାଶ ନପାଇବାରୁ ଏହାକୁ ସର୍ବୋଚ୍ଚ କୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଥିଲା । ଏବେ ଏହି ମାମଲାର ଶୁଣାଣି 3 ଜଣିଆ ଖଣ୍ଡପୀଠ କରିବେ ।
ଆଜି ଗୁଜୁରାଟ ହାଇକୋର୍ଟ ତିସ୍ତାଙ୍କ ନିୟମିତ ବେଲ ଆବେଦନକୁ ଖାରଜ କରିଦେବା ସହ ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତତ୍କାଳୀନ ନିର୍ବାଚିତ ସରକାରଙ୍କୁ ବଦନାମ କରିବା ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ଖରାପ କରିବା ଉଦ୍ୟମ କରିଥିବା ଅଭିଯୋଗରେ କୋର୍ଟ ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ । ତାଙ୍କ ସଂଗଠନର କିଛି ସହଯୋଗୀ ଓ ଦଙ୍ଗା ପୀଡିତଙ୍କ ମାଧ୍ୟମରେ ସେ ସରକାରଙ୍କ ବିରୋଧରେ ମିଛ ମାମଲା ଦାଏର କରିଥିବା ମଧ୍ୟ କୋର୍ଟ ଦର୍ଶାଇଥିଲେ । ତାଙ୍କ ବେଲ ଆବେଦନ ଖାରଜ କରିବା ସହ ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ । ଯାହା ବିରୋଧରେ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ ତିସ୍ତା ।
ତେବେ ତିସ୍ତାଙ୍କ ବେଲ ଆବେଦନ ସର୍ବୋଚ୍ଚ କୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠଙ୍କ ଦ୍ବାରା ହୋଇଥିଲେ ସୁଦ୍ଧା, ଦୁଇ ବିଚାରପତିଙ୍କ ମତରେ ଭିନ୍ନତା କାରଣରୁ ରାୟ ପ୍ରକଶ ପାଇପାରିନଥିଲା । ଏବେ ଏହି ମାମଲା 3 ଜଣିଆ ଖଣ୍ଡପୀଠଙ୍କ ନିକଟକୁ ପଠାଯାଇଛି । ତିନି ଜଣିଆ ଖଣ୍ଡପୀଠଙ୍କ ରାୟ ପରେ ତିସ୍ତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।