ଚଣ୍ଡିଗଡ:ଚଣ୍ଡିଗଡ ବିଶ୍ବବିଦ୍ୟାଳୟ (Chandigarh University) ରେ ଜଣେ ଛାତ୍ରୀ ଏକାଧିକ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଉତ୍ତୋଳନ କରି ଭାଇରାଲ କରିବା ଘଟଣାରେ (chandigarh university girls video) ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସମ୍ପୃକ୍ତ ଛାତ୍ରୀଜଣଙ୍କ ନିଜର ବ୍ୟକ୍ତିଗତ ଭିଡିଓ ନିଜର ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଛନ୍ତି । ଅନ୍ୟ କୌଣସି ଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇନଥିବା କହିଛନ୍ତି କଲେଜ କର୍ତ୍ତୃପକ୍ଷ ।
କଲେଜ କର୍ତ୍ତୃପକ୍ଷ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି,‘‘ ଯେ ଘଟଣା ନେଇ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରସାରିତ ହେବାରେ ଲାଗିଛି । ଘଟଣା ପରେ ୭ଜଣ ଛାତ୍ରୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଖବର ଏକ ଗୁଜବ । କୌଣସି ଛାତ୍ରୀ ଏପରି କରିବାକୁ ଉଦ୍ୟମ କରିନାହାନ୍ତି । ଏପରି ଉଦ୍ୟମ କରି କିଛି ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା । କାରଣ ଅନ୍ୟ କୌଣସି ଛାତ୍ରୀଙ୍କର ଗୋପନୀୟ କିମ୍ବା ଆପତ୍ତିଜନକ ଭିଡିଓ ଭାଇରାଲ ହୋଇନାହିଁ । ଏପରି କରିଥିବା ଛାତ୍ରୀଜଣଙ୍କ ନିଜର ବ୍ୟକ୍ତିଗତ ଭିଡିଓ ନିଜର ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଛି ।’’
ଘଟଣା ଅନୁସାରେ ବିଶ୍ବବିଦ୍ୟାଳୟର ୬୦ ଜଣ ଛାତ୍ରୀଙ୍କ ଗାଧୋଇବା ବେଳର MMS ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ଏଠାରେ ପଢୁଥିବା ଜଣେ ଛାତ୍ରୀ ଅନ୍ୟ ଛାତ୍ରୀଙ୍କମାନଙ୍କ ଗୋପନୀୟ ଭିଡିଓ ଉତ୍ତୋଳନ କରି ନିଜ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏପରି ଗୋପନୀୟ ଭିଡିଓ ଭାଇରାଲ ହେବା ପରେ ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲ ସ୍ଥାନାନ୍ତରିତ ହୋଇଛନ୍ତି ବୋଲି ଖବର ପ୍ରଶାରିତ ହୋଇଥିଲା । ଘଟଣା ପରେ ବିଶ୍ବବିଦ୍ୟାଳୟ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥିତି ଅଣାୟତ ହେବା ପରି ସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ:-ବିଶ୍ବବିଦ୍ୟାଳୟର ୬୦ ଛାତ୍ରୀଙ୍କ ଗାଧୁଆ ସମୟର ଭିଡିଓ ଭାଇରାଲ, ୮ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ
ତେବେ ଏହାରି ମଧ୍ୟରେ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସ୍ପଷ୍ଟୀକରଣ ମଧ୍ୟ ସାମ୍ନାକୁ ଆସିଛି । ଅନ୍ୟ ଛାତ୍ରୀଙ୍କ ଗୋପନୀୟ ଭିଡିଓ ହେବା ସହ ଏକାଧିକ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଖବରକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଏହାକୁ ଏକ ଗୁଜବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ କହିଛନ୍ତି । ଅନ୍ୟପଟେ ଘଟଣା ନେଇ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ନେଇ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି ପୋଲିସ । ଛାତ୍ରୀଜଣଙ୍କର ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ସେପଟେ ବିଶ୍ବବିଦ୍ୟାଳୟର ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।