ଜୟପୁର:ରାଜସ୍ଥାନ ଜୟପୁର ଦୁଦୁ ନିକଟରେ ଜାତୀୟ ରାଜପଥ-8 ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ୟାଙ୍କର ଚକ ଫାଟିଯିବା କାରଣରୁ ଏହା ଏକ କାର ଉପରେ ଓଲଟି ପଡିଥିଲା । ଏଥିରେ 3 ଶିଶୁଙ୍କ ସମେତ ମୋଟ 9 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ବ୍ୟତୀତ ଅନ୍ୟ କିଛି ଆହତଙ୍କୁ ମଧ୍ୟ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ୟାଙ୍କର ତଳେ ଚାପି ହୋଇରହିଥିବା କାରରୁ ମୃତଦେହ ଉଦ୍ଧାର କରିଥିଲେ । ମୃତଦେହକୁ ସ୍ଥାନୀୟ ରୟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସମସ୍ତେ ନିକଟବର୍ତ୍ତୀ ଗ୍ରାମର ଓ ସେମାନେ ସମ୍ପର୍କୀୟ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।
ସ୍ଥାନୀୟ ଏଏସପି ଦିନେଶ ଶର୍ମାଙ୍କ ସୂଚନା ଅନୁସାରେ, ଜାତୀୟ ରାଜପଥ 8ରେ ରାମନଗର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ତେଲ ଭର୍ତ୍ତି ଟ୍ୟାଙ୍କରର ଚକ ଫାଟିଯିବା ପରେ ଏହା ଅନିୟନ୍ତ୍ରିତ ହୋଇ ଏକ କାର ଉପରେ ଓଲିଟି ପଡିଥିଲା । କାରଟି ସମ୍ପୂର୍ଣ୍ଣ ଟ୍ୟାଙ୍କର ତଳେ ଚାପି ହୋଇଯାଇଥିଲା । କାର ସହ ଏକ ବାଇକ ମଧ୍ୟ ଟାଙ୍କର ତଳେ ଚାପି ହୋଇ ରହିଥିଲା । ଏଥିରେ ମୋଟ 9 ଜଣଙ୍କ ମୃତ୍ୟୁ ହୋଇଛି ।