ଲକ୍ଷ୍ନୌ:ବାପାମାଆଙ୍କ ପଦାନୁସରଣ କରି ରାଜନୀତିରେ ଏଣ୍ଟ୍ରି ମାରିପାରନ୍ତି ଅଭିନେତା ଅଭିଷେକ ବଚ୍ଚନ । ଅଭିଷେକ ଆସନ୍ତା ଲୋକସଭା ନିର୍ବାଚନ ଲଢି ପାରନ୍ତି । ସେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗ ଦେଇ ଉତ୍ତରପ୍ରଦେଶର ଆହ୍ଲାବାଦ (ଏବେର ପ୍ରୟାଗରାଜ) ସଂସଦୀୟ କ୍ଷେତ୍ରରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ନେଇ ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି । ୧୯୮୪ ମସିହାରେ ତାଙ୍କ ବାପା ଅମିତାଭ ବଚ୍ଚନ ମଧ୍ୟ ଆହ୍ଲାବାଦରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢିଥିଲେ । ଏହି ନିର୍ବାଚନରେ ବିଗ୍ ବି ଲୋକ ଦଳ ନେତା ହେମବତୀ ନନ୍ଦନ ବହୁଗୁଣାଙ୍କୁ ଏକ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ହରାଇ ବଡ ବିଜୟ ହାସଲ କରିଥିଲେ ।
ବର୍ତ୍ତମାନ ଅଭିଷେକ ବଚ୍ଚନଙ୍କ ମାଆ ଜୟ ବଚ୍ଚନ ସାମଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଅଛନ୍ତି । ଏପରି ସ୍ଥଳେ ଅଭିଷେକ ବଚ୍ଚନ ମଧ୍ୟ ସମାଜବାଦୀ ପାର୍ଟି ଟିକେଟରେ ଆହ୍ଲାବାଦରେ ଆସନରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଦାବି କରାଯାଉଛି । ଅନ୍ୟପଟେ ବିଜେପି ସାଂସଦ ରୀତା ବହୁଗୁଣାଙ୍କ ପୁଅ ମୟଙ୍କ ଯୋଶୀ ସମାଜବାଦୀ ପାର୍ଟିରେ ମିଶି ସାରିଛନ୍ତି । ଏହି ଦୃଷ୍ଟିରୁ ରୀତା ବହୁଗୁଣା ବିଜେପି ପ୍ରାର୍ଥୀ ଭାବେ ଆହ୍ଲାବାଦରୁ ପ୍ରତିଦ୍ବନ୍ଦିତା ନକରିବାର ସମ୍ଭାବନା ରହିଛି । ତେଣୁ ଆଗାମୀ ଲୋକସଭା ନିର୍ବାଚନରେ ଆହ୍ଲାବାଦ ଆସନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିପାରେ ।
ଏହାମଧ୍ୟ ପଢନ୍ତୁ: Hate speech case: ଆଜମ ଖାନ ପୁଣି ଦୋଷୀ ସାବ୍ୟସ୍ତ, 2ବର୍ଷ ଜେଲ ଦଣ୍ଡାଦେଶ