ଓଡିଶା

odisha

ETV Bharat / bharat

Letter to Manish Sisodia: ସିସୋଦିଆଙ୍କୁ ଝୁରୁଛନ୍ତି କୁନି ପିଲା, ଚିଠି ଲେଖି କହିଲେ ଏମିତି - ଆଇ ଲଭ ମନୀଷ ସିସୋଦିଆ

ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ ହେବା ପରେ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି 'ଆଇ ଲଭ ମନୀଷ ସିସୋଦିଆ' । କୁନି କୁନି ପିଲାମାନଙ୍କୁ ସିସୋଦିଆଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିବା ଲାଗି କୁହାଯାଇଥିବା ବେଳେ ଏହାକୁ ନିନ୍ଦା କରିଛି ଅଭିଭାବକ ସଂଘ । ଅଧିକ ପଢନ୍ତୁ

Letter to Manish Sisodia
Letter to Manish Sisodia

By

Published : Mar 3, 2023, 4:56 PM IST

ନୂଆଦିଲ୍ଲୀ:ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ । ସିସୋଦିଆଙ୍କୁ ଗିରଫ କରିବା ପରେ ତାଙ୍କୁ ଝୁରୁଛନ୍ତି କୁନି କୁନି ପିଲା । ପୂର୍ବରୁ ସିସୋଦିଆ ଶିକ୍ଷା ମନ୍ତ୍ରୀ ରହିଥିବା ବେଳେ ଦିଲ୍ଲୀ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ତାଙ୍କୁ ମନେ ପକାଇ ଚିଠି ଲେଖିଛନ୍ତି ଏବଂ ଫେରି ଆସିବା ଲାଗି ନିବେଦନ କରିଛନ୍ତି । ତେବେ ଏହି ଚିଠିଗୁଡ଼ିକୁ ସିସୋଦିଆଙ୍କ ନିକଟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀମାନେ ସିସୋଦିଆଙ୍କୁ ଚିଠି ଲେଖିବା ପରେ ଆପ୍‌ ନେତାମାନେ ଟ୍ବିଟ କରି ବିଜେପିକୁ କଡ଼ା ଭର୍ତ୍ସନା କରିଛନ୍ତି । ସେପଟେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିଠି ଲେଖା କାର୍ଯ୍ୟକୁ ଅଭିଭାବକ ସଂଘ ନିନ୍ଦା କରିଛି ।

ଆପ ବିଧାୟିକା ଅତିଶି ଛାତ୍ରଛାତ୍ରୀଙ୍କ ଚିଠିର ଏକ ଫଟୋ ସହିତ ଟ୍ବିଟ କରି ଲେଖିଛନ୍ତି, "ବିଜେପି କର୍ମୀମାନେ ତୁମେ ଯେତେ ବି ମିଥ୍ୟା ଅଭିଯୋଗ ଆଣ, ହେଲେ ମନୀଷ ସିସୋଦିଆଙ୍କ ପ୍ରତି ଛାତ୍ରଛାତ୍ରୀଙ୍କ ଏହି ପ୍ରେମ ଓ ସ୍ନେହଭାବକୁ ପ୍ରଭାବିତ କରିପାରିବ ନାହିଁ ।" ଅତିଶିଙ୍କ ଏହି ଟ୍ବିଟ ଉପରେ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁର କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, "ଜନସାଧାରଣ ଦେଖନ୍ତୁ କିପରି ଆପ୍‌ ସରକାର କୁନି କୁନି ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଇ ଏହି ଚିଠିଗୁଡ଼ିକୁ ଲେଖାଇଛନ୍ତି । ଏହା ସହିତ ମନୀଷ ସିସୋଦିଆଙ୍କ ଲାଗି ଏକ ଅଭିଯାନ ଆରମ୍ଭ କରି ଅଭିଭାବକଙ୍କ ଉପରେ ମଧ୍ୟ ଚାପ ପକାଉଛନ୍ତି । ଚିଠି ଲେଖ, ନଚେତ ତୁମ ପିଲାଙ୍କୁ ପରୀକ୍ଷାରେ ଫେଲ କରାଯିବ ।" ଆପ୍‌ ସରକାରଙ୍କ ଏପରି ଅପରାଧିକ କାର୍ଯ୍ୟ ଉପରେ ରୋକ ଲଗାଇବା ଲାଗି ପ୍ରବୀଣ ଉପ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ- Delhi Cabinet: କେଜ୍ରିଓ୍ୱାଲ କ୍ୟାବିନେଟରୁ ଇସ୍ତଫା ଦେଲେ ସିସୋଦିଆ, ସତ୍ୟେନ୍ଦ୍ର

ଏହା ଉପରେ ଆପ ନେତା ରୌନକ ଅଲ୍ଲି ମଧ୍ୟ ଫେସବୁକରେ ଏକ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଥିଲେ, "କୁନି କୁନି ପିଲାମାନେ ପଚାରୁଛନ୍ତି ତାଙ୍କର ପ୍ରିୟ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ କୁଆଡ଼େ ଗଲେ ? ପିଲାମାନେ ଜାଣିବାକୁ ଚାହୁଁଛନ୍ତି ଯେ ତାଙ୍କ ପ୍ରିୟ ମନ୍ତ୍ରୀ କେବେ ଜେଲରୁ ବାହାରିବେ । ପିଲାମାନେ ମନ୍ତ୍ରୀଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯେ ତାଙ୍କ ପାଠପଢା କିପରି ଚାଲିଛି ଓ ତାଙ୍କ ପରୀକ୍ଷା କିପରି ଯାଉଛି ?" ଗିରଫ ମନୀଷ ସିସୋଦିଆଙ୍କୁ ଚିଠି ପଠାଇବା ଲାଗି ଅଭିଯାନ ଆରମ୍ଭ ହୋଇଛି । ଯାହାର ନାମ ରଖାଯାଇଛି 'ଆଇ ଲଭ ମନୀଷ ସିସୋଦିଆ' । ପ୍ରତି ସରକାରୀ ସ୍କୁଲ ନିକଟରେ ଆଇ ଲଭ ମନୀଷ ସିସୋଦିଆ ଡେସ୍କ ରହିଛି । ଯେଉଁଠି ସକାଳ ୭.୩୦ରୁ ୯ଟା ପର୍ଯ୍ୟନ୍ତ ମଧ୍ୟରେ ସିସୋଦିଆଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଏଠାରେ ଦେବାକୁ କୁହାଯାଇଛି ।

ଏହା ବି ପଢନ୍ତୁ- Delhi liquor Policy Case: 8 ଘଣ୍ଚା ଜେରା ପରେ ମନୀଷ ସିସୋଦିଆ ଗିରଫ

ସେପଟେ ଦିଲ୍ଲୀ ଅଭିଭାବକ ସଂଘର ଅଧ୍ୟକ୍ଷା ଅପରାଜିତା ଗୌତମ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, "ଛୋଟ ଛୋଟ ପିଲମାନଙ୍କୁ ରାଜନୀତି ଭିତରକୁ ଟାଣିବା ଉଚିତ ନୁହେଁ । ଏବେ ବୋର୍ଡ ପରୀକ୍ଷା ଜାରି ରହିଛି । ପିଲାମାନେ ସେମାନଙ୍କ ପାଠପଢା ଉପରେ ଧ୍ୟାନ ଦେବା ଉଚିତ ନା କି ରାଜନୈତିକ ଉଦ୍ଦେଶ୍ୟକୁ ପୂରଣ କରିବା ଲାଗି କାର୍ଯ୍ୟ କରିବେ । ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ଯଦି ସେ କିଛି କରିନାହାନ୍ତି ତେବେ ଜେଲରୁ ମୁକୁଳିବେ, ନଚେତ ଜେଲ ଯିବେ । ସେ ଶିକ୍ଷାମନ୍ତ୍ରୀ ଭାବେ ଯେଉଁ ବି କାର୍ଯ୍ୟ କରିଛନ୍ତି ତାହା ତାଙ୍କର କର୍ତ୍ତବ୍ୟ ଥିଲା । ବିଦ୍ୟାଳୟରେ ବିକାଶମୂଳକ କାର୍ଯ୍ୟ କରି ସେ କୌଣସି ଦୟା ଦେଖାଇନାହାନ୍ତି । ସେ ଗିରଫ ହେବା ପରେ ଏକ ଅଭିଯାନ ଆରମ୍ଭ ହୋଇ ସ୍କୁଲ ବାହାରେ ଡେସ୍କ ଲଗାଯାଇଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ସେଥିରେ ଚିଠି ପକାଇବା ଲାଗି କୁହାଯାଇଛି । ଯାହାକି ଉଚିତ ନୁହେଁ ।"

ABOUT THE AUTHOR

...view details