ଜୟପୁର:ରାଜସ୍ଥାନର ଯୋଧପୁର ସହରରେ ଜଣେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ କାର ଡ୍ରାଇଭର ଦାୟିତ୍ବରେ ଥିବା ହୋମଗାର୍ଡଙ୍କୁ କାର ବନେଟରେ ଘୋଷାଡି ନେଇଛି । ପ୍ରାୟ 5ଶହ ମିଟର ପର୍ଯ୍ୟନ୍ତ ପୋଲିସ କର୍ମୀଜଣଙ୍କୁ କାର ଡ୍ରାଇଭର ଘୋଷାଡି ନେଇ ବ୍ରେକ ଲଗାଇଥିଲା । ପୋଲିସ କର୍ମୀ କାର ବନେଟରୁ ଖସିପଡିଥିଲେ । ତାଙ୍କ ଅଣ୍ଟା ଓ ଛାତିରେ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି (ସୋମବାର) ରାତିରେ ଏହି ଅଘଟଣ ଘଟିଛି । କାର ସହ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନିକଟରେ ଲାଗିଥିବା ସିସିଟିଭି ମାଧ୍ୟମରେ କାରକୁ ଚିହ୍ନଟ କରାଯିବାକୁ ପ୍ରୟାସ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି (ସୋମବାର) ରାତିରେ ଯୋଧପୁର ସହରର ମେଡିକାଲ କଲେଜ ଛକରେ ରେଡ୍ ସିଗନାଲ୍ କ୍ରସ କରି ଏକ କାର ଆଗକୁ ବଢିଥିଲା । ସେଠାରେ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ବରେ ଥିବା ପ୍ରତାପ ନାମକ ଜଣେ ହୋମଗାର୍ଡ ଓ ତାଙ୍କ ସହକର୍ମୀ କନେଷ୍ଟବଳ ଏହି କାରକୁ ରୋକିବାକୁ ପ୍ରୟାସ କରିଥିଲେ । ଏହି ସମୟରେ ଏହି ଧଳା ରଙ୍ଗର ଅଲ୍ଟୋ କାରଟି ଉଭୟଙ୍କୁ ଧକ୍କା ଦେଇ ଖସି ପଳାଇବାକୁ ପ୍ରୟାସ କରିଥିଲା । କନେଷ୍ଟବଳ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ହୋମଗାର୍ଡ ପ୍ରତାପ କାରର ବନେଟର (ଅଗ୍ରଭାଗ) ରେ ଲାଖି ଯାଇଥିଲେ । ପ୍ରାୟ 5ଶହ ମିଟର କାର ଡ୍ରାଇଭର ତାଙ୍କୁ ଘୋଷାଡି ନେବା ପରେ ବ୍ରେକ ମାରିଥିଲା । ପ୍ରତାପ ଗାଡି ବନେଟରୁ ରାସ୍ତାକୁ ଖସି ପଡିଥିଲେ । କାରଟି ଦୃତଗତିରେ ଫେରାର ହୋଇଯାଇଥିଲା ।