ନୂଆଦିଲ୍ଲୀ:ଦେଶରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସରକାରଗୁଡିକରେ ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରାୟ ସମସ୍ତେ ବିତ୍ତଶାଳୀ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅପରାଧିକ ପୃଷ୍ଠଭୂମି ମଧ୍ୟ ରହିଛି । ସମସ୍ତ ରାଜ୍ୟ ସରକାରଙ୍କ ମୋଟ ମନ୍ତ୍ରୀଙ୍କ ମଧ୍ୟରୁ ମୋଟ 87% ହେଉଛନ୍ତି କୋଟିପତି । ସେହପରି 43% ଙ୍କ ନାମରେ ଅପରାଧିକ ମାମଲା ଥିବା ଚଳିତ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର୍) ରିପୋର୍ଟରେ ପ୍ରକାଶ ପାଇଛି । ଅପରାଧିକ ମାମଲା ପ୍ରସଙ୍ଗରେ ଶୀର୍ଷ ସ୍ଥାନରେ ମହାରାଷ୍ଟ୍ର ରହିଛି । ମହାରାଷ୍ଟ୍ରରେ ମୋଟ 20 ମନ୍ତ୍ରୀଙ୍କ ମଧ୍ୟରୁ 13 ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ଏହି ପ୍ରତିଶତ ପ୍ରାୟ 65 ପ୍ରତିଶତ ହେବ ।
ଏହା ତଳକୁ 64 ପ୍ରତିଶତ ସହ ତାଲିକାର ଦ୍ବିତୀୟରେ ଝାଡଖଣ୍ଡ ରହିଛି । ଏଠାରେ ମୋଟ 11 ମନ୍ତ୍ରୀଙ୍କ ମଧ୍ୟରୁ 7 ମନ୍ତ୍ରୀଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି । ସେହିପରି ତେଲେଙ୍ଗାନାରେ 17 ମନ୍ତ୍ରୀଙ୍କ ମଧ୍ୟରୁ ମୋଟ 10 ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଯାହାକି 59 ପ୍ରତିଶତ ସହ ତେଲେଙ୍ଗାନାକୁ ତାଲିକାର ତୃତୀୟ ସ୍ଥାନରେ ରଖିଛି ।
ଦେଶର ସମସ୍ତ ରାଜ୍ୟର ବିଧାନସଭାରେ ମୋଟ 558 ମନ୍ତ୍ରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ 486 ଜଣ ହେଉଛନ୍ତି କୋଟିପତି । ଏହି ଆନୁପାତିକ ସଂଖ୍ୟା 87 ପ୍ରତିଶତ ହେବ । ସେହିପରି ଅପରାଧିକ ମାମଲାରେ 43% ବା 239 ଜଣ ମନ୍ତ୍ରୀ ଛନ୍ଦି ହୋଇଛନ୍ତି । ଏମାନଙ୍କ ମଧ୍ୟରେ କିଛି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କ ବିରୋଧରେ ଏକାଧିକ ଗମ୍ଭୀର ଅପରାଧିକ ମାମଲା ମଧ୍ୟ ରହିଛି । ଏହି ମନ୍ତ୍ରୀମାନେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ବେଳେ ଦାଖଲ କରିଥିବା ନାମାଙ୍କନପତ୍ରରୁ ଏହି ତଥ୍ୟ ସଂଗ୍ରହ କରାଯାଇ ଏଡିଆର ରିପୋର୍ଟରେ ପ୍ରକାଶ କରାଯାଇଛି ।