ଥିରୁଅନନ୍ତପୁରମ:ରାଜ୍ୟପାଳଙ୍କ କାରଣ ଦର୍ଶାଅ ନୋଟିସକୁ ବିରୋଧ । କେରଳରେ ଥମିବାର ନାଁ ନେଉନାହିଁ ସାମ୍ବିଧାନିକ ସଙ୍କଟ । ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଲାଗି ରହିଥିବା ନିଷ୍ପତ୍ତିଗତ ଓ କ୍ଷମତା ବିବାଦ କ୍ରମଶଃ ବଢିବାରେ ଲାଗିଛି । ରାଜ୍ୟର 9 ବିଶ୍ବବିଦ୍ୟାଳୟର କୁୁଳପତିଙ୍କ ଠାରୁ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଏହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି 7 କୁଳପତି । ଜଷ୍ଟିସ ଦେବନ ରାମଚନ୍ଦ୍ରନଙ୍କ ନେତୃତ୍ବରେ ଏକକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।
ଗତମାସ (ଅକ୍ଟୋବର) 24 ତାରିଖରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ରାଜ୍ୟର 9 ବିଶ୍ବବିଦ୍ୟାଳୟର କୁଳପତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ସେମାନଙ୍କ ନିଯୁକ୍ତିକୁ କାହିଁକି ଅବୈଧ ଘୋଷଣା କରାଯିବ ନାହିଁ, ସେ ନେଇ ନଭେମ୍ବର 3 ତାରିଖ ସଂଧ୍ୟା 5 ଟା ସୁଦ୍ଧା ଉତ୍ତର ରଖିବା ପାଇଁ ନୋଟିସରେ ନିର୍ଦ୍ଦେଶ ରହିଥିଲା । ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପ୍ରଦତ୍ତ ସର୍ତ୍ତାବଳୀକୁ ଉଲଙ୍ଘନ କରି ଏହି କୁଳପତିମାନଙ୍କ ନିଯୁକ୍ତି ଉଚିତ ପ୍ରକ୍ରିୟା ଅନୁସରଣ ନକରି ହୋଇଥିବା ରାଜଭବନ ପକ୍ଷରୁ କହାଯାଇଛି । ତେଣୁ ଏହି ସବୁ ବିଶ୍ବବିଦ୍ୟାଳୟର କୁଳପତିଙ୍କ ବିରୋଧରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।