କୋଲକାତା:୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ରହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ ଦାବି ନେଇ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଉଦ୍ୟମ କରୁଥିଲେ ଅନେକ ଆଦିବାସୀ ନେତା । ତେବେ ଏମାନଙ୍କୁ ଗୃହବନ୍ଦୀରେ ରଖାଯାଇଥିବା ସୂଚନା ମିଳିଛି । ମଙ୍ଗଳବାର ସକାଳୁ ଏହି ନେତାମାନଙ୍କୁ ଗୃହବନ୍ଦୀରେ ରଖାଯାଇଛି । ରାଷ୍ଟ୍ରପତି ଶାନ୍ତିନିକେତନରେ ରହିବା ପର୍ଯ୍ୟନ୍ତ ସେମାନେ ଗୃହବନ୍ଦୀରେ ରହିବେ ବୋଲି ପୋଲିସ କହିଛି ।
ଏହି ଆଦିବାସୀ ନେତାମାନେ ବିବାଦୀୟ ଦେଉଛା-ପାଚାମି ଦାବି ସମେତ ଅନେକ ଦାବି ନେଇ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଉଦ୍ୟମ କରୁଥିଲେ । ଏହାସହିତ ସାନ୍ତାଳ ଆଦିବାସୀ ସମ୍ପ୍ରଦାୟର ଶିକ୍ଷା ଓ ସ୍ବାସ୍ଥ୍ୟ ନେଇ ମଧ୍ୟ ସେମାନେ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିବାକୁ ଚାହୁଁଥିଲେ । ରାଷ୍ଟ୍ରପତିଙ୍କୁ ଭେଟିବା ଲାଗି ସେମାନେ ଆକ୍ଟିଂ ସେକ୍ରେଟାରୀ ବିଶ୍ବ ଭାରତୀ ଓ ଅଶୋକ ମାହତଙ୍କୁ ଚିଠି ଲେଖିଥିଲେ । ମାତ୍ର ଶେଷ ମୁହୂର୍ତ୍ତରେ ସେମାନଙ୍କ ଏହି ଅନୁରୋଧକୁ ଗ୍ରହଣ କରାଯାଇନଥିଲା । ରାଷ୍ଟ୍ରପତି ଶାନ୍ତିନିକେତନରେ ରହିବା ପର୍ଯ୍ୟନ୍ତ ଏମାନଙ୍କୁ ଗୃହବନ୍ଦୀରେ ରଖାଯିବ ।
ଏହା ବି ପଢନ୍ତୁ- President Murmu To Visit WB: ଆଜିଠୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ରାଷ୍ଟ୍ରପତି
ଏହି ଆଦିବାସୀ ନେତାଙ୍କ ସମେତ ଅନ୍ୟ ନେତାଙ୍କ ମଧ୍ୟରେ ରହିଛନ୍ତି ରାମ ସୋରେନ, ସୋନା ମୁର୍ମୁ, ଡ. ବିନୟ କୁମାର ସୋରେନ, ମିନ୍ତି ହେମ୍ବ୍ରମ, ରାତିନ କିସ୍କୁ ଓ ଶିବୁ ସୋରେନ । ଏମାନଙ୍କୁ ମଧ୍ୟ ମଙ୍ଗଳବାର ସକାଳ ୬ଟାରୁ ଗୃହବନ୍ଦୀରେ ରଖାଯାଇଛି । ପୋଲିସ ଏମାନଙ୍କ ଘର ବାହାରେ ଜଗି ରହିଥିବା ବେଳେ ସେମାନଙ୍କୁ ବାହାରକୁ ବାହାରିବା ଲାଗି ବାରଣ କରିଛି । ଦେଉଛା-ପାଚାମି କୋଇଲା ଖଣି ଖନନ ପାଇଁ ଜମି ଅଧିଗ୍ରହଣ ହୋଇଛି । ଏଥିଲାଗି ବୋଲପୁର-ଶାନ୍ତିନିକେତନ ଅଞ୍ଚଳର କିଛି ଆଦିବାସୀ ଜମିକୁ ମଧ୍ୟ ଚିହ୍ନଟ କରାଯାଇଛି । ଏହା ଉପରେ ରିସର୍ଟ, ହୋଟେଲ, ହାଉସିଂ, କଟେଜ ଆଦି ନିର୍ମାଣ ଯୋଜନା ରହିଛି ।
ମଙ୍ଗଳବାର ବିଶ୍ବ ଭାରତୀରେ ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିବା ବେଳେ ରାଷ୍ଟ୍ରପତି ଏଥିରେ ଯୋଗଦେଇଥିଲେ । ଏହି ଅବସରରେ ଆଦିବାସୀ ନେତାମାନେ ତାଙ୍କୁ ଭେଟିବାକୁ ଯୋଜନା ରଖିଥିଲେ । ମାତ୍ର ତାଙ୍କୁ ଅଟକାଇ ଗୃହବନ୍ଦୀରେ ରଖିଛି ପୋଲିସ । ଏନେଇ ଆଦିବାସୀ ନେତା ରାମ ସୋରେନ କହିଛନ୍ତି, " ଲୋକଙ୍କ ଦାବି ନେଇ ଆମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଚାହୁଁଥିଲୁ । ମାତ୍ର ପୋଲିସ ଆମକୁ ଗୃହବନ୍ଦୀରେ ରଖିଛି । ଆମକୁ ଘରୁ ନବାହାରିବା ଲାଗି କହିଛି ।" ରାଜ୍ୟ ସରକାର ସେମାନଙ୍କ ସ୍ବରକୁ ଚାପି ରଖି ନିୟମ ଉଲ୍ଲଘଂନ କରୁଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପରିବେଶ ଦୂଷିତ ହେବା ସହ ସେଠାରେ ବାସ କରୁଥିବା ଆଦିବାସୀ ଜନଜାତିଙ୍କୁ ମଧ୍ୟ ହଟାଯିବ ବୋଲି ଆଦିବାସୀ ନେତାମାନେ ଅଭିଯୋଗ କରିଆସୁଛନ୍ତି ।