କୋହିମା:ନାଗାଲାଣ୍ଡ ମୋନ ଜିଲ୍ଲା ଓଟିଙ୍ଗ ଗ୍ରାମରେ ସୁରକ୍ଷାକର୍ମୀଙ୍କ ଭୁଲ ଅପରେସନ ପାଇଁ 14 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଆଜି (ସୋମବାର) ଟିଏମସି (TMC)ର ପାଞ୍ଚ ଜଣିଆ ପ୍ରତିନିଧି ଦଳ ନାଗାଲାଣ୍ଡ ଗସ୍ତ କରି ସମସ୍ତ ମୃତକଙ୍କ ପରିବାରକୁ ଭେଟିବ ।
ଟିମରେ ସାଂସଦ ପ୍ରସନ୍ନ ବାନାର୍ଜୀ, ସୁସ୍ମିତା ଦେବ, ଅପରୁପା ପୋଦ୍ଦାର, ସାନ୍ତୁନ ସେନ ଓ ଦଳର ମୁଖପାତ୍ର ବିଶ୍ବଜିତ ଦେବଙ୍କୁ ନେଇ ଏହି ଦଳ ଗଠନ ହୋଇଛି । ଘଟଣାର ତଦନ୍ତ ପାଇଁ ନାଗାଲାଣ୍ଡ ସରକାର ୫ ଜଣିଆ ଏସଆଇଟି ଗଠନ କରିଛନ୍ତି । ଏ ନେଇ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି । ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ସେନା ପକ୍ଷରୁ କୋର୍ଟ ଅଫ ଇନକ୍ବାରି ନିର୍ଦ୍ଦେଶ ହୋଇଛି । ହିଂସାକୁ ଦୃଷ୍ଟିରେ ରଖି ମୋନ୍ ଜିଲ୍ଲାରେ କର୍ଫ୍ୟୁ ଜାରି ସହ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିଛି । ଏହି ଦୁଃଖଦ ଘଟଣାରେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଥିଲେ ।