ଅମରାବତୀ:ଆନ୍ଧ୍ରପ୍ରଦେଶ ଅମଲାପୁରମରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ସହରରେ ବଢିଛି ସୁରକ୍ଷା ବ୍ୟବସ୍ଥା । ଆଜି ପୋଲିସ ବଳ ସହରରେ ଫ୍ଲାଗମାର୍ଚ୍ଚ କରିଛି । ଏପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ 46 ଦଙ୍ଗାକାରୀଙ୍କୁ ଗିରଫ କରାଯାଇ ସରିଛି । ମଙ୍ଗଳାବାର ସହରରେ ବଡ ଧରଣର ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଏଥିରେ ଜଣେ ମନ୍ତ୍ରୀ ଓ ବିଧାୟକଙ୍କ ଘର ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇଥିଲେ ଦୁର୍ବୃତ୍ତ ।
ତେବେ ଘଟଣା ପରେ ସହରରେ ହାଇଆଲର୍ଟ ଜାରି କରାଯାଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଧାରା 144 ଲାଗୁ କରିଥିଲା ସ୍ଥାନୀୟ ପ୍ରଶାସନ । ସ୍ଥିତିରେ ଧିରେ ଧିରେ ସୁଧାର ଆସିବାରେ ଲାଗିଛି । ବର୍ତ୍ତମାନ ମଧ୍ୟ ସହରରେ ଅତିରିକ୍ତ ପୋଲିସ ବଳ ମୁତୟନ ହୋଇଛନ୍ତି । ଘଟଣାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା 46 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।