ନୂଆଦିଲ୍ଲୀ:ସମଗ୍ର ବିଶ୍ବ ସମୁଦାୟ ପାଇଁ ଚିନ୍ତାର କାରଣ ପାଲଟିଛି ଓମିକ୍ରନ(Omicron ) । ଚାରିଆଡେ ଆତଙ୍କ ଖେଳାଉଛି କୋରୋନାର ଏହି ନୂଆ ରୂପ । ୟୁରୋପୀୟ ରାଷ୍ଟ୍ରରେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ(Omicron ) ହୁ ହୁ ହୋଇ ବଢୁଥିବାବେଳେ ଭାରତରେ ମଧ୍ୟ ଦିନକୁ ଦିନ ବିପଦ ଘନଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ମାମଲା ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ, ସୋମବାର ଗୁଜୁରାଟରେ ଜଣେ ୪୨ ବର୍ଷୀୟ ବିଦେଶ ଫେରନ୍ତା ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଗତ ୩ ତାରିଖ ଦିନ ଦକ୍ଷିଣ ଆଫ୍ରିକା(South Africa )ରୁ ଫେରିଥିଲେ । ଯାହା କୁହାଯାଉଛି, ବିଦେଶରୁ ଆସି ଦିଲ୍ଲୀରେ ପହଞ୍ଚିବା ସମୟରେ ପ୍ରଥମେ ତାଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ଦ୍ବିତୀୟ ଥର ଟେଷ୍ଟ ପରେ ମଧ୍ୟ ରିପୋର୍ଟ ସମାନ ଥିଲା । ହେଲେ ୮ ତାରିଖ ଦିନ ବିଦେଶ ଫେରାନ୍ତା ଜଣକ ପୁନର୍ବାର ଟେଷ୍ଟ କରିବାରୁ ସେ ଓମିକ୍ରନ ସଂକ୍ରମିତ ଥିବା ଜଣାପଡିଛି । ବର୍ତ୍ତମାନ ତାଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି । ତାଙ୍କ ସହ ଯାତ୍ରା କରିଥିବା ଅନ୍ୟ ୪ ଜଣ ଯାତ୍ରୀଙ୍କ ଟେଷ୍ଟ କରାଯାଇଥିବାବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ ରହିଛି ।