ଜୟପୁର: ଖରାପ ପାଗ ପାଇଁ ବଦଳିଲା ଦିଲ୍ଲୀ ଆସୁଥିବା ବିମାନର ଗତିପଥ । ରାଜଧାନୀ ଦିଲ୍ଲୀ ବଦଳରେ ରାଜସ୍ଥାନର ଜୟପୁରରେ ଅବତରଣ କଲା ଚାରୋଟି ବିମାନ । ପ୍ରବଳ ବର୍ଷା ପବନ ଯୋଗୁଁ ବିଭିନ୍ନ ସହରରୁ ଆଜି ସକାଳେ ରାଜଧାନୀ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ୪ଟି ବିମାନ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରି ଜୟପୁର ବିମାନ ବନ୍ଦରରେ ଅବତରଣ କରିଛି । ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେବଳ ବିମାନ ନୁହେଁ, ଦିଲ୍ଲୀରେ ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।
ସେହିପରି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଆଜି ସକାଳୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ବିମାନ ବିଳମ୍ବରେ ଉଡାଣ ଭରିଛନ୍ତି । ତେଣୁ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ଯାତ୍ରୀଙ୍କୁ ନିଜର ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ଏୟାରପୋର୍ଟ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ଏନେଇ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି, ଖରାପ ପାଣିପାଗ ଯୋଗୁଁ ଦିଲ୍ଲୀ ଏୟାରପୋର୍ଟରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ବିମାନ ଯାତ୍ରା ସମ୍ପର୍କିତ ତାଜା ସୂଚନା ପାଇଁ ଯାତ୍ରୀମାନେ ସମ୍ପୃକ୍ତ ଏୟାରଲାଇନ୍ସ ସହ ସମ୍ପର୍କ କରିବା ଉଚିତ୍ ।
ଏହାମଧ୍ୟ ପଢନ୍ତୁ : ଆଜି ନୀତି ଆୟୋଗ ବୈଠକ: ମମତା ନୀତିଶଙ୍କ ସମେତ 6 ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେନି ସାମିଲ