ଚେନ୍ନାଇ:ମଦୁରାଇରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ଜଣେ କାର୍ଯ୍ୟକର୍ତ୍ତାଙ୍କ ଘର ଉପରେ ପେଟ୍ରୋଲ ବମ ମାଡ କରିଛି ଜଣେ ଦୁର୍ବୃତ୍ତ (bombs thrown at house of RSS member in Tamil Nadu) । ଜଣେ ଦୁର୍ବୃତ୍ତ ଘର ଭିତରକୁ ପେଟ୍ରୋଲ ବୋମା ମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏହି ଘଟଣା ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଆକ୍ରମଣରେ କେହି ଆହତ ହୋଇନଥିବା ବେଳେ କାର୍ଯ୍ୟକର୍ତ୍ତାଙ୍କ ଘର ଓ ଗାଡିରେ ନିଆଁ ଲାଗି ଯାଇଛି । ଏହି ଘଟଣା ଗତକାଲି (ଶନିବାର) ସଂଧ୍ୟା ସମୟର ଘଟିଥିବା ନେଇ ମଧ୍ୟ ସୂଚନା ମିଳିଛି ।
ସୂଚନା ଅନୁସାରେ, ସ୍ଥାନୀୟ ଆରଏସଏସ କାର୍ଯ୍ୟକର୍ତ୍ତା ଏମ.ଏସ କ୍ରିଷ୍ଣାଙ୍କ ଘରକୁ ଏହି ବୋମା ମାଡ ହୋଇଛି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦେଖିବାକୁ ମିଳିଛି, ଜଣେ ଦୁର୍ବୃତ୍ତ ହାତରେ 3 ପେଟ୍ରୋଲ ବମ ଧରି ଗୋଟିଏ ପରେ ଗୋଟିଏ କ୍ରିଷ୍ଣାଙ୍କ ଘର ଉପରେ ମାଡ କରିଥିଲା । ଘରେ ନିଆଁ ଲାଗିଯାଇଥିଲା । ପରେ ଉକ୍ତ ଦୁର୍ବୃତ୍ତଜଣଙ୍କ ଅନ୍ୟ ଜଣେ ସହଯୋଗୀ ଜରିଆରେ ଏକ ବାଇକରେ ଘଟଣାସ୍ଥଳରୁ ଖସି ଯିବାରେ ସଫଳ ହୋଇଥିଲା । ଏହି ଘଟଣାରେ ଆରଏସଏସ କାର୍ଯ୍ୟକର୍ତ୍ତା କ୍ରିଷ୍ଣା ଓ ମଦୁରାଇ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ହୋଇଛି । ଏତଲା ଆଧାରରେ ପୋଲିସ ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତକୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଖୁବଶୀଘ୍ର ପୋଲିସ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହେବା ନେଇ ମଧ୍ୟ ଆଶ୍ବସନା ଦେଇଛି ।