ଶ୍ରୀନଗର:ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ସେନାର ୩ ଜଣ ଯବାନ ଶହୀଦ ହୋଇଯାଇଛନ୍ତି । କୁଲଗାମ ଜିଲ୍ଲାର ହାଲନ ଜଙ୍ଗଲରେ ଆତଙ୍କୀ ସହ ଏନକାଉଣ୍ଟର ହୋଇଥିଲା । ଏଥିରେ ୩ ଜଣ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ସେନା ପକ୍ଷରୁ ଏକ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ହାଲନ ଜଙ୍ଗଲର ପର୍ବତ ଶିଖରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଗତକାଲି(ଶୁକ୍ରବାର) ଭାରତୀୟ ସେନାକୁ ଖବର ମିଳିଥିଲା । ଏହାପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଆତଙ୍କବାଦୀମାନେ ଅତର୍କିତ ଭାବେ ସେନା ଉପରେ ଗୁଳିମାଡ କରିଥିଲେ । ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏହି ଗୁଳି ବିନିମୟରେ ୩ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣ ଯାକ ଯବାନ ଶହୀଦ ହୋଇଯାଇଥିବା ଶୁକ୍ରବାର ସେନା ସୂଚନା ଦେଇଛି । ଏହି ଘଟଣା ପରେ ଅତିରିକ୍ତ ଫୋର୍ସ ପଠାଯାଇ ହାଲନ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।