ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ବିଜେପି ଗଡ ରକ୍ଷା କରିବା ପାଇଁ ଏବେଠୁ ଆରମ୍ଭ କଲାଣୀ ରଣନୀତି । ଏନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ଶାହଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବନତନ୍ତ ଦେବ ସିଂ, ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ, ଦଳର ରାଜ୍ୟ ୟୁନିଟ୍ ସମ୍ପାଦକ ସୁନୀଲ ବନସାଲ ମଧ୍ୟ ଉପସ୍ଥିତ ରହିଥିଲେ।
ଆୟୋଜିତ ହୋଇଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ମାସରେ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମ ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା । ଅଗଷ୍ଟ 23ରୁ ଆରମ୍ଭ ହେବାକୁ ଥିବା ଦଳର ବୁଥ ବିଜୟ ସଙ୍କଳ୍ପ କାର୍ଯ୍ୟକ୍ରମକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ଉତ୍ତରପ୍ରଦେଶର ପ୍ରତ୍ୟେକ ବୁଥକୁ ମଜବୁତ କରିବାକୁ ଯୋଜନା କରିଛି। ମତଦାନ ପୂର୍ବରୁ ବରିଷ୍ଠ ରାଜ୍ୟ ନେତାଙ୍କ ଦ୍ବାରା ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।