ଚେନ୍ନାଇ: NEET ପରୀକ୍ଷା ପୂର୍ବରୁ ଜଣେ 20 ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ମୃତ ଛାତ୍ର ଜଣଙ୍କ ଏସ ଦାନୁଶ ଓ ସେ ତାମିଲନାଡୁର ସାଲେମ ଜିଲ୍ଲା ନିବାସୀ ବୋଲି ଜଣାପଡିଛି । ଆଜି (ରବିବାର) ହେବାକୁ ଥିବା NEET ପରୀକ୍ଷା ପୂର୍ବରୁ ଦାନୁଶ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଛାତ୍ର ମୃତ୍ୟୁକୁ ନେଇ ତାମିଲନାଡୁରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । NEET ପରୀକ୍ଷାରେ କେନ୍ଦ୍ର ସରକାରଙ୍କ ଅପାରଗତା ଦର୍ଶାଇବା ସହ ଏହା ବିରୋଧରେ ଏକ ବିଲ ଆଣିବାକୁ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ।
ମିଳିଥିବା ସୂଚନା ଅନୁସାରେ, ଛାତ୍ର ଜଣଙ୍କ ଗତ ୨ ବର୍ଷ ଧରି NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଗତ ୨ଟି ପ୍ରୟାସରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ବିଫଳ ହେବା ପରେ ତୃତୀୟ ପ୍ରୟାସର ସମ୍ମୁଖୀନ ହେବା ପୂର୍ବରୁ ନିୟନ୍ତ୍ରଣ ହରାଇ ଏପରି ଚରମ ପଦକ୍ଷପ ନେଇଥିବା କୁହାଯାଉଛି । ଘଟଣା ପ୍ରଘଟ ହେବା ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସମବେଦନା ଜଣାଇଛନ୍ତି । ସେହିପରି ଛାତ୍ର ସମାଜକୁ କୌଣସି ପରିସ୍ଥିତିରେ ଧୈର୍ଯ୍ୟ ନ ହରାଇବାକୁ ମଧ୍ୟ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି । ପରୀକ୍ଷାରେ ବିଫଳ ହୋଇ କୌଣସି କଠୋର ନିଷ୍ପତ୍ତି ନ ନେବା ପାଇଁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ।