ନୂଆଦିଲ୍ଲୀ:ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ କଲେଜ ଗେଟ ନିକଟରେ ସର୍ବସାଧାରଣରେ ଛୁରୀ ଭୁସି ହତ୍ୟା କରିଛନ୍ତି ସେହି କଲେଜର ଅନ୍ୟ ଜଣେ ଛାତ୍ର ଓ ତାର ସହଯୋଗୀ । ବିଶ୍ବବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସରେ ଥିବା ଆର୍ଯ୍ୟଭଟ୍ଟ କଲେଜରେ ଆଜି (ରବିବାର) ଅପରାହ୍ନରେ ଜଣେ ଛାତ୍ରଙ୍କୁ ଅନ୍ୟଜଣେ ଛାତ୍ର ଛୁରୀରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଛାତ୍ରଜଣଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମୃତ ଛାତ୍ରଜଣକ ନିଖିଲ ଚୌହାନ ଓ ସେ ପଶ୍ଚିମ ବିହାରର ବାସିନ୍ଦା ବୋଲି ଜଣାପଡିଛି । ଆକ୍ରମଣ କରିଥିବା ଛାତ୍ର ଓ ତାର ଦୁଇ ସହଯୋଗୀ ଫରାର ହୋଇଯିବାରେ ସଫଳ ହୋଇଛନ୍ତି ।
ପୋଲିସର ସୂଚନାନୁସାରେ, ମୃତ ଛାତ୍ର 19 ବର୍ଷୀୟ ନିଖିଲ ସ୍କୁଲ ଅଫ୍ ଓପନ୍ ଲର୍ନିଂରେ ବିଏ (ଅନର୍ସ) ପଲିଟିକାଲ ସାଇନ୍ସ ପ୍ରଥମ ବର୍ଷର ଛାତ୍ର ଥିଲେ । ପ୍ରାୟ ଏକ ସପ୍ତାହ ପୂର୍ବେ କଲେଜର ଅନ୍ୟ ଜଣେ ଛାତ୍ର ନିଖିଲଙ୍କ ଗର୍ଲଫ୍ରେଣ୍ଡ ସହିତ ଅସଦାଚରଣ କରିଥିଲା । ଏହି କାରଣରୁ ଉଭୟଙ୍କ ମଧ୍ୟରେ ଉକ୍ତ ଦିନ ଗଣ୍ଡଗୋଳ ହୋଇଥିଲା । ଆଜି ପ୍ରାୟ ମଧ୍ୟାହ୍ନ 12ଟାରେ ଅଭିଯୁକ୍ତ ତାର 2 ସହଯୋଗୀଙ୍କ ସହ ଆସି ନିଖିଲଙ୍କୁ କଲେଜ ଗେଟ ନିକଟକୁ ଡାକିଥିଲା । ନିଖିଲ ଓ ଅଭିଯୁକ୍ତ ମଧ୍ୟରେ ବଚସା ହେବା ପରେ ନିଖିଲଙ୍କୁ ଅତର୍କିତ ଛୁରୀରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ଓ ତାର ସହଯୋଗୀ ।