ଗାଙ୍ଗଟକ: ଉତ୍ତର ସିକ୍କିମର ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳ ନିକଟରେ ଦୁର୍ଘଟଣାଗ୍ରସ୍ତ ସେନା ଗାଡ଼ି (Sikkim Road Accident) । ଏହି ଦୁର୍ଘଟଣାରେ ୧୬ ଯବାନ ଶହୀଦ (16 jawans martyred) ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଉତ୍ତର ସିକ୍କିମର ଦୁର୍ଗମାଞ୍ଚଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସେନା ଗାଡ଼ି ପ୍ରାୟ ୧୦୦ ଫୁଟ ଖାଇକୁ ଖସିଥିବା ସୂଚନା ଦେଇଛନ୍ତି ଚୁଙ୍ଗଥାଙ୍ଗ ସବଡିଭିଜନାଲ ପୋଲିସ ଅଫିସର (SDPO) ଅରୁଣ ଥାତାଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟ୍ବିଟ କରି ଶହୀଦ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି ।
ଦୁର୍ଘଟଣାଗ୍ରସ୍ତ ସେନା ଗାଡ଼ି ୧୦୦ ଫୁଟ ଖାଇ ତଳେ ସେନା ଗାଡ଼ି
ବରିଷ୍ଠ ପୋଲିସ ଅଫିସରଙ୍କ ସୂଚନା ଅନୁସାରେ, ଆହତ ହୋଇଥିବା ଯବାନଙ୍କୁ ଏୟାରଲିଫ୍ଟରେ ଉତ୍ତର ବେଙ୍ଗଲର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଜେମା ୩ (Zema 3) ଠାରେ ସକାଳ ପ୍ରାୟ ୮ଟା ସମୟରେ ଘଟିଛି । ଏହି ଦୁର୍ଗମ ଅଞ୍ଚଳଟି ଲାକେନଠାରୁ ୧୫କିମି ଓ ରାଜଧାନୀ ଗାଙ୍ଗଟକଠାରୁ ୧୩୦କିମି ଦୂରରେ ଅବସ୍ଥିତ । ଏନେଇ ଚୁଙ୍ଗଥାଙ୍ଗ ସବଡିଭିଜନାଲ ପୋଲିସ ଅଫିସର (SDPO) ଅରୁଣ ଥାତାଲ କହିଛନ୍ତି ଯେ ସେନା ଗାଡ଼ି ୨୦ ଜଣ ଯବାନଙ୍କୁ ନେଇ ବର୍ଡର ପୋଷ୍ଟ ଅଭିମୁଖେ ଯାତ୍ରା କରୁଥିଲା । ଜେମା ୩ ନିକଟରେ ଏକ ଟର୍ଣ୍ଣିଂ ପଏଣ୍ଟରେ ହଠାତ ଗାଡ଼ି ବୁଲିବା ସମୟରେ ଖାଇକୁ ଖସିଥିବା ଅରୁଣ କହିଛନ୍ତି ।
ଦୁର୍ଘଟଣାଗ୍ରସ୍ତ ସେନା ଗାଡ଼ି ୧୬ ଯବାନ ଶହୀଦ
ଘଟଣାସ୍ଥଳରେ ୧୬ ଜଣ ଯବାନ ଶହୀଦ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମାତ୍ର ଏହି ଯବାନଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସମ୍ପର୍କରେ ଖବର ପାଇବା ପରେ ଏସଡିପିଓ ସଙ୍ଗେ ସଙ୍ଗେ ଲାକେନ ନିକଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି କହିଛନ୍ତି । ଶହୀଦ ହୋଇଥିବା ଯବାନଙ୍କ ପାର୍ଥିବ ଶରୀରକୁ ଗାଙ୍ଗଟକନ STNM ହସ୍ପିଟାଲକୁ ବ୍ୟବଚ୍ଛେଦ ଲାଗି ନିଆଯାଇଛି । ଏହାପରେ ପାର୍ଥିବ ଶରୀରକୁ ସେନାକୁ ହସ୍ତାନ୍ତର କରାଯିବ । ଗନ୍ତବ୍ୟ ସ୍ଥଳ ଅଭିମୁଖେ ସେନା ଗାଡ଼ି ବାହାରିବା ପରେ ବାଟରୁ ଯବାନଙ୍କୁ ପିକ୍ଅପ୍ କରିଥିବା ବୋଲି ସୂଚନା ମିଳିଛି ।
ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶୋକ ପ୍ରକାଶ
ଏହି ଦୁଃଖଦ ଘଟଣା ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, " ସିକ୍କିମରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଭାରତୀୟ ସେନା ବୀର ଯବାନଙ୍କୁ ହରାଇଛି । ଏଥିଲାଗି ଅତ୍ୟନ୍ତ ଦୁଃଖିତ । ସାହାସୀ ଶୋକସନ୍ତ ପରିବାରକୁ ସମବେଦନା । ଆହତ ଯବାନ ଖୁବଶୀଘ୍ର ଆରୋଗ୍ୟ ହୁଅନ୍ତୁ ।"
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଦୁର୍ଘଟଣାରେ ଯବାନ ଶହୀଦ ହେବା ପରେ ଏ ନେଇ ଶୋକ ପ୍ରକାଶ କରିଛନ୍ତି । ଏ ନେଇ ସେ ଟ୍ବିଟ କରି ଲେଖିଛନ୍ତି, " ଉତ୍ତର ସିକ୍କିମ ସଡ଼କ ଦୁର୍ଘଟଣାରେ ଭାରତୀୟ ଯବାନଙ୍କ ଏହି ଦୁଃଖଦ ମୃତ୍ୟୁରେ ଅତ୍ୟନ୍ତ ଦୁଃଖିତ । ସେମାନଙ୍କର ସେବା ଏବଂ ପ୍ରତିବଦ୍ଧତା ପାଇଁ ଦେଶ ସର୍ବଦା କୃତଜ୍ଞ ରହିବ।" ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।