ନୂଆଦିଲ୍ଲୀ:ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ୭୨ ଘଣ୍ଟା ଯୁଦ୍ଧବିରତି ପରେ ଖାର୍ତୁମ ସମେତ ବିଭିନ୍ନ ସ୍ଥାନରେ ସେନା ଏବଂ ଅର୍ଦ୍ଧସାମରିକ ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହାରି ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଅପରେସନ କାବେରୀ । ବର୍ତ୍ତମାନ ସୁଦ୍ଧା ୪ଟି ପର୍ଯ୍ୟାୟରେ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରାଯାଇ ନିଜ ରାଜ୍ୟରେ ପହଞ୍ଚାଯାଇଛି । ଏହାରି ଭିତରେ ଆଜି ସକାଳେ ୧୨୮ ଭାରତୀୟ ସୁଦାନରୁ ଆସି ଜେଧାରେ ପହଞ୍ଚିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନ ଟ୍ବିଟ କରି ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ ଟ୍ବିଟ ଅନୁସାରେ, IAFC-130 ବିମାନ ଆଜି ଭାରତୀୟଙ୍କୁ ସୁଦାନରୁ ଆଣି ଜେଧାରେ ପହଞ୍ଚାଇଛି । ଅପରେସନ କାବେରୀରେ ୧୨୮ଜଣ ଭାରତୀୟ ସୁଦାନରୁ ଫେରିଛନ୍ତି । ଏହାପରେ ସେମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଯିବ ।
ତେବେ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ସୋମବାର ଠାରୁ ଅପରେସନ କାବେରୀ ଆରମ୍ଭ କରାଯାଇଛି । ଆଜି ଏହାର ଚତୁର୍ଥ ଦିନ । ଆଜି ସକାଳୁ ସକାଳୁ AFC-130 ବିମାନରେ ୧୨୮ଜଣ ଭାରତୀୟ ଫେରିଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୧୦୦ ଭାରତୀୟଙ୍କ ସୁରକ୍ଷିତ ଭାବେ ଭାରତକୁ ଫେରାଇ ଅଣାଯାଇଛି । ତେବେ ସେହି ସମୟର ଫଟୋ ଏବଂ ଭିଡିଓକୁ ସେୟାର କରାଯାଇଛି । ଏଥିରେ ଅନେକ ବୃଦ୍ଧ, ବୃଦ୍ଧାଙ୍କ ସହ ଛୋଟ ଛୁଆ ମଧ୍ୟ ରହିଥିବା ଦେଖାଯାଇଛି । ଜେଧାରେ ଭାରତୀୟମାନେ ପହଞ୍ଚିଥିବା ଭିଡିଓକୁ କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ ଟ୍ବିଟ କରିଥିବା ବେଳେ ଏହାକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଖୁସି ହୋଇ ରିଟ୍ବିଟ କରିଛନ୍ତି ।