ରାଇରଙ୍ଗପୁର :ଦୁଆରଶୁଣୀ ଘାଟିରେ ଗତକାଲି ଘଟିଥିଲା ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଭେଟିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଗତକାଲି (ବୁଧବାର) ଘଟିଥିଲା ଦୁର୍ଘଟଣା । ଧଉଳି ଗଣନାଟ୍ୟର ଏକ ଲାଇଟ୍ ଓ ସାଉଣ୍ଡ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡି଼ଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଯାଇଥିବାବେଳେ ଆଉ ଜଣେ ବାଙ୍ଗିରିପୋଷି ମେଡିକାଲରେ ମୃତ୍ୟୁବରଣ କରିଥିଲେ। ସମସ୍ତ ୬ ଜଣ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଲେଖାଏଁ ଓ ମେଡିକାଲରେ ଭର୍ତ୍ତି ଥିବା ଗୁରୁତରଙ୍କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ରାଣୀ ପଣ୍ଡା।
ଏଥିସହିତ ଦୁର୍ଘଟଣାରେ ୯ ଜଣ ଗୁରୁତର ଓ ୨ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଥିଲା। ମୃତ୍ୟୁବରଣ କରିଥିବା ସମସ୍ତ ୬ ଜଣଙ୍କ ପରିଚୟ ଜଣାପଡିଛି। ମୃତକମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଭୁରୁଡୁବଣି ଗ୍ରାମର ଝାଡ଼େଶ୍ୱର ମାର୍ଣ୍ଡି ଓ ମଠ ମୁର୍ମୁ, କେନ୍ଦୁଝର ଜିଲ୍ଲାର ପଣ୍ଡପଦା ଥାନା ଅନ୍ତର୍ଗତ ନିଶ୍ଚିତପୁରର ରାଇଟର ଦେହୁରୀ । ସେହିପରି କଟକ ଜିଲ୍ଲା ନେମାଳ ଥାନା ଅର୍ନ୍ତଗତ ଯାମରାର ଅଶୋକ ମଲ୍ଲିକ ଓ ଜଗତପୁର ଅଞ୍ଚଳର ଦିଲ୍ଲୀପ କୁମାର ଜେନା, ଯାଜପୁର ଜିଲ୍ଲା ସୁକିନ୍ଦାର ମାଧବ ପଲେଇଙ୍କ ମୃତ୍ୟୁ ହୋଇଛି । ଆଜି ସମସ୍ତ ୬ ଜଣଙ୍କର ମୃତଦେହ ବାରିପଦା ପିଆରଏମ ହସ୍ପିଟାଲରେ ବ୍ୟବଛେଦ କରାଯିବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।