କୋରାପୁଟ/ଭୁବନେଶ୍ବର:କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏହି ସିରିଜ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଗୁରୁତରମାନେ ବର୍ତ୍ତମାନ କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଅପରପକ୍ଷେ, ଦୁର୍ଘଟଣା ପରେ ସ୍କର୍ପିଓ ଚାଳକ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, କୋଟପାଡ଼ରୁ ବୋରିଗୁମ୍ମା ଯାଇଥିବା ୬୩ ଜାତୀୟ ରାଜପଥ ଉପରେ ଆଜି ଅପରାହ୍ନରେ ଘଟିଥିଲା ଦୁର୍ଘଟଣା । ଛତିଶଗଡ଼ ନମ୍ବର ଥିବା ଏକ ସ୍କର୍ପିଓ ବୋରିଗୁମ୍ମା ଅଭିମୁଖେ ଯାଉଥିବାବେଳେ ବିଜାପୁରଠାରେ ପ୍ରଥମେ ଏକ ବାଇକ୍କୁ ଧକ୍କା ଦେଇଥିଲା । ପରେ ପରେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା । ଏହାପରେ ସ୍କର୍ପିଓଟି ପୁଣି ଥରେ ଅନ୍ୟ ଏକ ବାଇକକୁ ଧକ୍କା ଦେଇ ନିକଟସ୍ଥ ଏକ କଲଭର୍ଟ ଭିତରକୁ ପଶିଯାଇଥିଲା । ସେହି ସମୟରେ ଅଟୋରେ ପ୍ରାୟ ୧୫ଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତକମାନଙ୍କ ମଧ୍ୟରୁ ୨ ଜଣ ଅଟୋର ଯାତ୍ରୀ ଥିବାବେଳେ ତୃତୀୟ ବ୍ୟକ୍ତି ହେଉଛନ୍ତି ବାଇକ ଚାଳକ ।
ଏହା ମଧ୍ୟ ପଢନ୍ତୁ...ଦୁଆରଶୁଣି ଘାଟି ଦୁର୍ଘଟଣା: ମୃତକଙ୍କ ପରିବାରକୁ ରାଣୀ ପଣ୍ଡାଙ୍କ ସହାୟତା