ସୁନ୍ଦରଗଡ: ଜିଲ୍ଲା ଲହୁଣୀପଡା ବ୍ଲକ ଅଞ୍ଚଳରେ ତାଣ୍ଡବ ରଚିଛି କାଳବୈଶାଖୀ । ନିମିଷକ ମଧ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ କେତେକ ପରିବାରକୁ ସର୍ବସ୍ବାନ୍ତ କରିଦେଇଛି । କାଳବୈଶାଖୀ ଯୋଗୁଁ ଅନେକ ଘର ଭାଙ୍ଗି ଚୁରମାର ହୋଇଯାଇଥିବାବେଳେ ବିଦ୍ୟୁତ ଖୁଣ୍ଟ ଓ ବଡ ବଡ ଗଛ ସବୁ ଉପୁଡି ଯାଇଛି । ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରହିଛି ।
ଗତକାଲି(ଗୁରୁବାର) ଅପରାହ୍ନ ପ୍ରାୟ 3 ଟା 30 ମିନିଟ ସମୟରେ ସୁନ୍ଦରଗଡ ଜିଲ୍ଲାରେ କାଳବୈଶାଖୀ ହୋଇଥିଲା । ଏହି ସମୟରେ 60ରୁ 70 କିମି ବେଗରେ ପବନ ବହିଥିଲା । ଫଳରେ ଅନେକ ଲୋକଙ୍କ ଘର ଉପରେ ଗଛ ପଡି ଭାଙ୍ଗି ଯିବା ସହ ଅନେକ ଲୋକଙ୍କ ଚାଳଛପର ଉଡିଯାଇଛି । ଏପରିକି କିଛି ଲୋକଙ୍କ ଆୟର ଏକମାତ୍ର ଉତ୍ସ ଅଟୋରିକ୍ସାଗୁଡିକ ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଥିବା ଜଣାପଡିଛି । ବିଶେଷକରି ବଣାଇଁ, ଲମସୀ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି କାଳବୈଶାଖୀ । ଏଣୁ ସରକାରୀ ସ୍ତରରେ କାଳବୈଶାଖୀ ଜନିତ କ୍ଷୟକ୍ଷତିର ତଦନ୍ତ କରାଯାଇ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତି ପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ