ରାଉରକେଲା: ହକି ବିଶ୍ବକପ୍ ପାଇଁ ଚଳଚଞ୍ଚଳ ରହିଛି ରାଉରକେଲା । ବିଶ୍ୱକପକୁ ସ୍ମରଣୀୟ କରିବା ପାଇଁ ରାଉରକେଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି(Rourkela Gears Up For Hockey World Cup) । ଏହି ପରିପ୍ରେକ୍ଷୀରେ ଆଜି ଷ୍ଟିଲସିଟିରେ ରନ ଫର ହକି ସ୍ଲୋଗାନ ନେଇ ଆୟୋଜିତ ହୋଇଛି ଗଣଦୌଡ଼ । ରାଉରକେଲା ମହାନଗର ନିଗମ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଏହି ଗଣଦୌଡରେ ୧୦୦୦ରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଓ ଲୋକେ ଭାଗ ନେଇଛନ୍ତି ।
ରାଉରକେଲା ସହରର ହନୁମାନ ବାଟିକା ଛକରୁ ସେକ୍ଟର ୨ ଦୂର୍ଗାପୂଜା ପଡିଆ ପର୍ଯ୍ୟନ୍ତ ଏହି ଫର୍ ରନ ହକି କାର୍ଯ୍ୟକ୍ରମ(Run For Hockey Marathon) ଆୟୋଜିତ ହୋଇଛି । ରାଉରକେଲା ମହାନଗର ନିଗମ ପକ୍ଷରୁ ପ୍ରାୟ ୧୦ କିଲୋମିଟର ଯାଏଁ ଏହି ଗଣଦୌଡ ଆୟୋଜନ କରାଯାଇଛି । ଏଥିରେ ରାଉରକେଲା ସହର ସମେତ ପଡୋଶୀ ଜିଲ୍ଲା ଏବଂ ପଡୋଶୀ ରାଜ୍ୟରୁ ପିଲାମାନେ ଆସି ଏଥିରେ ସାମିଲ ହୋଇଛନ୍ତି । ଏହିପରି ଭାବେ ରାଉରକେଲା ସହରବାସୀ ଏବଂ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ମନରେ ହକି ବିଶ୍ୱକପର ଏକ ଛାପ ଛାଡିବାକୁ ରାଉରକେଲା ପ୍ରଶାସନ ପ୍ରଚେଷ୍ଟା ଚଳାଇଛି ।
ଏହାମଧ୍ୟ ପଢନ୍ତୁ: ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲା, ସଉନାମରା ଗାଁରେ ଜନ୍ମ ନେଇଛନ୍ତି ଅନେକ ହକି କିମ୍ବଦନ୍ତୀ
ଷ୍ଟିଲସିଟି ରାଉରକେଲାରେ ଜାନୁଆରୀ ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ବକପ ଅନୁଷ୍ଠିତ ହେଉଥିବାରୁ, ମହାନଗର ନିଗମ ପକ୍ଷରୁ ହକି ଫର୍ ରନ ଗଣଦୌଡର ଆୟୋଜନ କରାଯାଇଛି । ଓଡ଼ିଶା ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ୍ ଆୟୋଜନ କରିବାକୁ ଯାଉଥିବା ବେଳେ ରାଉରକେଲାରେ ପ୍ରଥମ ଥର ଖେଳାଯିବ । ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ସମେତ ରାଉରକେଲା ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।
ବିଶ୍ବକପକୁ ଦୃଷ୍ଟିରେ ରଖି ରାଉରକେଲାରେ ତିଆରି ହୋଇଛି ବିଶ୍ବର ସବର୍ ବୃହତ ହକି ଷ୍ଟାଡିୟମ । ଏହାସହ ପୁରା ଜିଲ୍ଲାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଆଜିର ଗଣଦୌଡ଼ ୧୦ କିଲୋମିଟର ଯାଏ ହୋଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ।
ଇଟିଭି ଭାରତ, ରାଉରକେଲା