ସୁନ୍ଦରଗଡ଼: କୁଷ୍ଠ ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି । ଏନେଇ ରାଉରକେଲାର ୬ଟି ସ୍ଥାନରେ ୫ ଦିନ ଧରି ଚାଲିଥିବା ସ୍ବତନ୍ତ୍ର ସ୍କ୍ରିନିଂ କ୍ୟାମ୍ପ ଶେଷ ହୋଇଛି । କ୍ୟାମ୍ପରେ ଚିହ୍ନଟ ହୋଇଥିବା ୩୯୨ ଜଣ ହିତାଧିକାରୀଙ୍କ ପାଇଁ ଆବଶ୍ୟକତା ଅନୁଯାୟୀ ଚିକିତ୍ସା, ସହାୟକ ଉପକରଣ, କୃତ୍ରିମ ଅଙ୍ଗ ପ୍ରଦାନ ତଥା ଭତ୍ତା ପରି ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରାଯିବା ନେଇ ହୋଇଛି ନିଷ୍ପତ୍ତି ।
ଗତ ୨୨ ତାରିଖରୁ ରାଉରକେଲାର ଦୁର୍ଗାପୁର (ଏ) କଲୋନୀରେ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହାକୁ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଶୁଭାରମ୍ଭ କରିଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ସମିତି ଏବଂ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ପକ୍ଷରୁ ଏହି ସ୍କ୍ରିନଙ୍ଗ କ୍ୟାମ୍ପ ଆୟୋଜନ କରାଯାଇଥିଲା । ଏଥିରେ ସୁନ୍ଦରଗଡ଼ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର ବିଶେଷଜ୍ଞମାନେ ସାମିଲ ହୋଇଥିଲେ । ଦୁର୍ଗାପୁର (ଏ) ବସ୍ତିରେ ୮୦ ଜଣ, ଦୁର୍ଗାପୁର-ବି ବସ୍ତିରେ ୧୨୨ ଜଣ, ନୟାବଜାର ବସ୍ତିରେ ୬୦ ଜଣ, ଦେଓଗାଁ କୁଷ୍ଠ କଲୋନୀରେ ୨୯ ଜଣ ଏବଂ ବୁର୍ଲାପାଲୀ କୁଷ୍ଠ କଲୋନୀରେ ୩୯ ଜଣଙ୍କୁ ମିଶାଇ ମୋଟ ୩୯୨ ଜଣଙ୍କର ଯାଞ୍ଚ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୨ ଜଣ ହିତାଧିକାରୀଙ୍କୁ ସୁନ୍ଦରଗଡ଼ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ଚିକିତ୍ସା କରାଯାଇ କୃତ୍ରିମ ଅଙ୍ଗ ପ୍ରଦାନ କରାଯିବ ।
ଏହା ବ୍ୟତୀତ ୧୯ ଜଣଙ୍କୁ ସର୍ଜିକାଲ ଜୋତା ଓ ହୁଇଲ ଚେୟାର, ୧୫୫ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ୮ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ଦିଆଯିବ ପାଇଁ ବ୍ୟବସ୍ଥା କରାଯାଇଛି । କୁଷ୍ଠ ରୋଗରୁ ଭଲ ହୋଇଥିବା ବ୍ୟକ୍ତିମାନଙ୍କ ଭିତରୁ ଅନେକଙ୍କ ମଧ୍ୟରେ ଭିନ୍ନକ୍ଷମ ସମସ୍ୟା ଦେଖାଦେଇଥାଏ । ତେଣୁ ସେମାନଙ୍କୁ ଚିହ୍ନଟ କରି ବିଭିନ୍ନ ସରକାରୀ ସୁବିଧା ଦେବା ଲାଗି ଏହି ସ୍କ୍ରିନିଙ୍ଗ୍ କ୍ୟାମ୍ପ କରାଯାଇଥିଲା । ଚିହ୍ନଟ ହୋଇଥିବା ହିତାଧିକାରୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ଚିକିତ୍ସା ଓ ସହାୟକ ଉପକରଣ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର କହିଛନ୍ତି ।
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ