ସୁବର୍ଣ୍ଣପୁର: ସହରର ବ୍ଳକ ଛକ ଠାରୁ ହଟେଇ ଦିଆଯାଇଥିବା ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିକୁ ଏଯାଏଁ କୌଣସି ଏକ ଯାଗାରେ ପ୍ରତିଷ୍ଠା କରାଯାଇ ପାରିନାହିଁ । ମହାନଦୀଠାରୁ ତେଲନଦୀ ଯାଏଁ ଫୋରଲେନ ବିଶିଷ୍ଠ ରାସ୍ତାକାର୍ଯ୍ୟ ସଂପ୍ରସାରଣ ପାଇଁ ସନ୍ଥକବିଙ୍କ ପ୍ରତିମୂର୍ତ୍ତିକୁ ହଟେଇ ଦିଆଯାଇଛି । ପ୍ରତିମୂର୍ତ୍ତି ଥିବା ପେଣ୍ଡାଲଟିକୁ ଭାଙ୍ଗି ଦିଆଯାଇଥିବା ବେଳେ ପୁଣି ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ପେଣ୍ଡାଲ ତିଆରି କରି ସନ୍ଥକବିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବେ ବୋଲି ଆଶା କରାଯାଉଥିଲା।
ମାତ୍ର ଆଜକୁ ତିନି ମାସରୁ ଅଧିକ ହେଲା ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ଦିଗରେ ଏଯାଏଁ ସ୍ଥାନ ନିରୂପଣ କରାଯାଇ ପାରିନାହିଁ । ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ପ୍ରତିମୂର୍ତ୍ତିଟିକୁ ନେଇ ବିଭାଗୀୟ କାର୍ଯ୍ୟାଳୟରେ ରଖିଛନ୍ତି । ତେବେ ଦୈନିକ ଶହ ଶହ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସହର ଭିତରକୁ ଆସୁଥିବା ବେଳେ ପ୍ରତିମୂର୍ତ୍ତି କୁଆଡେ ଗଲା ବୋଲି ପ୍ରଶ୍ନ କରୁଛନ୍ତି ।
ତେବେ ସନ୍ଥକବିଙ୍କ ସମାଧୀ ପୀଠକୁ ମାଘମେଳା ପାଳନ ସହିତ ପାଦୁକା ଦର୍ଶନ କରିବାକୁ ଆସୁଥିବା ଭୀମଭୋଇ ପ୍ରେମୀ, ସାହିତ୍ୟ ରସିକ ତଥା ମହିମା ଧର୍ମୀ ସାଧୁ ସନ୍ୟାସୀ ବ୍ଳକ ଛକରେ ଥିବା ସନ୍ଥଙ୍କ ପ୍ରତିମୂର୍ତ୍ତି ପ୍ରଥମେ ଦର୍ଶନ କରିବାର ସୁଯୋଗ ନେଉଥିଲେ । ପ୍ରାୟ ଦେଢ ଦଶନ୍ଧି ଧରି ବ୍ଳକଛକରେ ଥିବା ପ୍ରତିମୂର୍ତ୍ତି ଦେଖି ନ ପାରି ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି । ତେବେ ପ୍ରତିମୂର୍ତ୍ତି ରହିଥିବା ଯାଗାରେ ଏକ ସୁରମ୍ୟ ଉଦ୍ୟାନ ତିଆରି କରି ପ୍ରତିମୂର୍ତ୍ତିକୁ ପୁଣି ପ୍ରତିଷ୍ଠା କରାଯାଉ ବୋଲି ଜନସାଧାରଣ ଦାବି କରିଥିଲେ ।
ସନ୍ଥକବିଙ୍କ ପ୍ରତିମୂର୍ତ୍ତି ବ୍ଳକ ପରିସର ଭିତରେ ଅବା ସହରର କୌଣସି ଏକ ଦର୍ଶନୀୟ ଯାଗାରେ ପ୍ରତିଷ୍ଠା କରାଯିବାକୁ ଦାବି ହୋଇ ଆସୁଛି। ହେଲେ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ଦିଗରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନୀରବ, ଯାହାକୁ ନେଇ ଭୀମଭୋଇ ପ୍ରେମୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ