ସୁବର୍ଣ୍ଣପୁର: ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷରେ ସୁଦୂର ୟୁକ୍ରେନରୁ ଜନ୍ମମାଟିକୁ ଫେରିଲେ ଓଡିଆ ଛାତ୍ର ପ୍ରିୟବ୍ରତ ସାହୁ। ୟୁକ୍ରେନ ଋଷ ମଧ୍ୟରେ ଯୁଦ୍ଧ ଲାଗି ରହୁଥିବାରୁ ଭାରତ ସରକାରଙ୍କ ପକ୍ଷରୁ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଉଛି । ୟୁକ୍ରେନରେ ଫସିଥିବା ଛାତ୍ର ସୁବର୍ଣ୍ଣପୁରର ପ୍ରିୟବ୍ରତ ସାହୁ ଅପରେସନ ଗଙ୍ଗା ମାଧ୍ୟମରେ ନିଜ ଘରକୁ ଫେରି ପାରିଛନ୍ତି । ସେଠାରୁ ଫେରିବା ପରେ ସେ ୟୁକ୍ରେନରେ ଆକ୍ରମଣ କାହାଣୀ କହିଛନ୍ତି ।
ସୂଚନାଅନୁସାରେ, ପ୍ରିୟବ୍ରତ ଦୁଇବର୍ଷ ହେଲା ଖାର୍କିଭରେ ଆୟୁର୍ବିଜ୍ଞାନ ଅଧ୍ୟୟନ କରୁଥିଲେ । ଋଷ- ୟୁକ୍ରେନ ଯୁଦ୍ଧ ଚାଲିଥିବା ଯୋଗୁଁ ଫସି ରହିଥିଲେ କିଶନ ।୧୫ଦିନ ପର୍ଯ୍ୟନ୍ତ ଋଷିୟ ସୈନ୍ୟଙ୍କ ଆକ୍ରମଣ ଓ ୟୁକ୍ରେନ ସୈନ୍ୟଙ୍କ ପ୍ରତି ଆକ୍ରମଣରେ ଥରି ଉଠୁଥିବା ୟୁକେନର ଖାର୍କିଭ ସହରରେ ରହିଥିଲେ । ଛାତ୍ରାବାସ ଛାଡି ବଙ୍କରରେ ରହିବା, ବଙ୍କରରୁ ପୁଣି ଚାଲି ଚାଲି ୟୁକ୍ରେନ ବର୍ଡରକୁ ପହଞ୍ଚିବା,ଲୋକଙ୍କୁ ସହଯୋଗ କରିବା ଆଦି ଲୋମଟାଙ୍କୁରା ଘଟଣା ସେ ବର୍ଣ୍ଣନା କରିଛନ୍ତି।
ଏହା ମଧ୍ୟ ପଢନ୍ତୁ : ଯୁଦ୍ଧ ବିରତି ସମୟରେ ୟୁକ୍ରେନରୁ ଫେରିଲେ ବରଗଡ ଛାତ୍ର, ପରିବାରରେ ଖୁସିର ଲହରୀ
ଭାରତ ସରକାର ପକ୍ଷରୁ ‘ଅପରେସନ ଗଙ୍ଗା’ ମାଧ୍ୟମରେ ୟୁକ୍ରେନରୁ ଅନେକ ଭାରତୀୟଙ୍କୁ ଉଦ୍ଧାର କରାଯିବା ସହ ପ୍ରିୟବ୍ରତ ମଧ୍ୟ ସୁରକ୍ଷିତ ଭାବେ ଘରେ ପହଞ୍ଚି ଥିଲେ । ତେବେ ସମସ୍ତ ଛାତ୍ରଙ୍କୁ ଭାରତ ସରକାର ଖାର୍କିଭରୁ ଫେରେଇ ଆଣିଥିବାରୁ ସେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଅପରେସନ ଗଙ୍ଗା ମିଶନର ସଫଳତାକୁ ପ୍ରଶଂସା କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ