ସମ୍ବଲପୁର: ଜିଲ୍ଲାରେ ଜିରା ରହିଛି ପ୍ରଚଣ୍ଡ ଗ୍ରାଷ୍ମ ପ୍ରବାହ । ସବୁଠି ପ୍ରବଳ ତାତିରେ ସିଝୁଛନ୍ତି ଲୋକେ । ତେବେ ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଗ୍ରାମ ପଞ୍ଚାୟତର ଫଟାବାହାଲ ଗାଁରେ ଲୋକଙ୍କ ସମସ୍ୟା କହିଲେ ନସରେ । ପ୍ରବଳ ଖରା ଓ ଗରମରେ ମଧ୍ୟ ଏଠିକାର ଲୋକଙ୍କୁ ସ୍ଵଚ୍ଛ ପାନୀୟ ଜଳ ମୁନ୍ଦେ ନ ମିଳିବାରୁ ଲୋକେ ପୋଖରୀ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।
ପ୍ରଚଣ୍ଡ ଖରାରେ ପାଣି ଟିକେ ପାଇଁ ଡହଳ ବିକଳ ଲୋକେ । ସକାଳ ପାହିଲେ ମହିଳାଙ୍କୁ ପିଇବା ପାଣି ଚିନ୍ତା ଘାରୁଛି । ଗାଁରେ ଗୋଟିଏ ବି ନଳକୂପ ନାହିଁ, ଯାହାଫଳରେ ପୋଖରୀ ପାଣି ହିଁ ଏକମାତ୍ର ଭରସା । ଫଟାବାହାଲ ଗାଁକୁ ପାନୀୟ ଜଳ ଯୋଗଣା ବ୍ୟବସ୍ଥା ହୋଇଛି ସତ, କିନ୍ତୁ ବିଦ୍ୟୁତ କଟିଲେ ଦିନଦିନ ଧରି ପାଣି ଆସେନା ଗାଁକୁ । ଗତ ବର୍ଷ ମଧ୍ୟ ପାଣି ପାଇଁ ଅନେକ ଅସୁବିଧା ଭୋଗିଥିଲେ ଗ୍ରାମବାସୀ । ଅନେକ ଥର ସୋଲାର ଚାଳିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ପଞ୍ଚାୟତ ଅଫିସ ଧାଇଁ ଧାଇଁ ନୟାନ୍ତ ହୋଇଥିଲେ ସୁଦ୍ଧା ଗ୍ରାମବାସୀଙ୍କ କଥା ପ୍ରତି କେହି କର୍ଣ୍ଣପାତ କରି ନଥିଲେ । ବାଧ୍ୟ ହୋଇ ପୋଖରୀ ପାଣି ବ୍ୟବହାର କରୁଛନ୍ତି ଫଟାବାହାଲ ଗ୍ରାମବାସୀ । ପୋଖରୀରେ ଦଳ ଓ ଅଳିଆ ଆବର୍ଜନା ଭରି ରହିଛି । ପୋଖରୀ ପାଣି ବ୍ୟବହାର ଫଳରେ ଅନେକ ସମୟରେ ବିଭିନ୍ନ ରୋଗର ଶୀକାର ହେଉଛନ୍ତି ଗ୍ରାମବାସୀ ।
ସ୍ଥାନୀୟ ସରପଞ୍ଚ ଏହି ସମସ୍ୟା ନେଇ ଅବଗତ ଅଛନ୍ତି ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ କିଛି ପଦକ୍ଷେପ ନିଆଯାଇନି ବୋଲି ସ୍ପଷ୍ଟ କରିଛନ୍ତି । ତେବେ ନିର୍ବାଚନ ପରେ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ନିଶ୍ଚୟ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ