ସମ୍ବଲପୁର: ଆଇପିଏଲ ବେଟିଙ୍ଗ ରାକେଟ ସମ୍ବଲପୁରରେ ସକ୍ରିୟ ହୋଇ ଉଠିଛି । ଲୋକପ୍ରିୟ କ୍ରିକେଟ ପ୍ରତିଯୋଗିତା ଆଇପିଏଲରେ ଅନଲାଇନ ବେଟିଂ କରି କମ ଟଙ୍କା ବିନିଯୋଗ କରି ରାତାରାତି ମାଲାମାଲ ହେବାକୁ ଏହି ଆଇପିଏଲ ବେଟିଙ୍ଗକୁ ମଧ୍ୟମ କରିଛନ୍ତି କିଛି ଯୁବକ । ଏହି ଆଇପିଏଲ ବେଟିଂର ରାକେଟ ଚଳାଉ ଥିବା 5 ଜଣ ଯୁବକଙ୍କୁ ସମ୍ବଲପୁର ପୋଲିସର ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନ ଅଞ୍ଚଳରୁ ଗିରଫ କରିଛି ।
ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ବେଟିଂ କରୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ । ଏଥିସହ ରାକେଟର ମୁଖ୍ୟଙ୍କ ସମେତ ୫ ଜଣକୁ ଗିରଫ କରି କୋର୍ଟ ଚାଳାଣ କରିଥିବା ଜଣାପଡିଛି । ସମ୍ବଲପୁର ସହରରେ ଲୋକପ୍ରିୟ କ୍ରିକେଟ ପ୍ରତିଯୋଗିତା ଆଇପିଏଲରେ ବେଟିଂ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏହି ଅଭିଯୋଗ ଆଧାରରେ ସମ୍ବଲପୁର ପୋଲିସ ତିନୋଟି ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଥିଲା । ତେବେ ପୋଲିସ ତା'ର ତଦନ୍ତ ସମୟରେ ଆଇପିଏଲ ବେଟିଂ ରାକେଟର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ସେମାନଙ୍କ ଠାରୁ ୧୫୧୫୦ ଟଙ୍କା ସହ ୫ ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ । ଆଇପିଏଲ ମ୍ୟାଚରେ ବେଟିଂ ଚଳାଇଥିବା ଅଭିଯୁକ୍ତଙ୍କ ନାମରେ ସହରର ଧନୁପାଲି, ଅଇଁଠାପାଲି ଓ ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସୋମନାଥ ଘୋଷ, ବିନୋଦ ସୋରେନ, ବିକାଶ ରାଉତ, ରାକେଶ ନିଖାଟିଆ,ବବଲୁ ପ୍ରଧାନ ।
ଏହି ଆଇପିଏଲ ବେଟିଂ ଘଟଣାର ତଦନ୍ତ ଚାଲିଥିବା ବେଳେ ଘଟଣାରେ ଆଉ କିଏ ସମ୍ପୃକ୍ତ ସେ ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ