ପୁରୀ: ଆଜି ଆଡପ ମଣ୍ଡପକୁ ବିଜେ କରିବେ ଶ୍ରୀବିଗ୍ରହ । ନବଦିନାତ୍ମକ ଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ରଥାରୁଢ ତିନି ଠାକୁର ଗୁରୁବାର ସନ୍ଧ୍ୟାରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ । ଭକ୍ତି ଭାବରେ ଜଡସଡ ଭକ୍ତ ରଥ ଉପରେ କାଳିଆ ସାଆନ୍ତକୁ ଦର୍ଶନ କରିଥିଲେ ।
ଆଜି ଅପରାହ୍ଣ ପର୍ଯ୍ୟନ୍ତ ରଥ ଉପରେ ରହିବେ ଚତୁର୍ଦ୍ଧାମୂର୍ତ୍ତି । ଅପରାହ୍ଣରେ ତିନି ଠାକୁର ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ତେବେ ଆଡପ ବିଜେ ପରେ ଦର୍ଶନ ବନ୍ଦ ରହିବ । ପହଣ୍ଡି ବିଜେ ପରେ ପର ଦିନ ଦର୍ଶନ ଆରମ୍ଭ ହେବ ।
ରଥାରୁଢ ମହାପ୍ରଭଙ୍କୁ ଦର୍ଶନ ଲାଗି ଶରଧାବାଲିରେ ଭକ୍ତଙ୍କ ସୁଅ ଛୁଟୁଛି । ଆଜି ପ୍ରାତଃରୁ ତିନି ଠାକୁରଙ୍କ ମଙ୍ଗଳଆଳତୀ ପରେ ମଇଲମ, ତଡପ ଲାଗି ଅବକାଶ ନୀତି ଅନୁଷ୍ଠିତ ହୋଇଛି । ଏହାପରେ ମହାପ୍ରଭୁଙ୍କ ସକାଳ ଧୂପ ସରିଥିବା ବେଳେ ସନ୍ଧ୍ୟା ଧୂପ ପରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।
ଶ୍ରୀମନ୍ଦିରର ନୀତିକାନ୍ତି ଅନୁଷ୍ଠିତ ହେଲା ପରି ଆଡପ ମଣ୍ଡପରେ ମଧ୍ୟ ସେହି ନୀତିକାନ୍ତି କରାଯିବ । ତେବେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ଜଗନ୍ନାଥ ସଂସ୍କୃତି ପ୍ରଚାରକ ଦିବାନନ୍ଦ ଶତପଥୀ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ