ପୁରୀ: ସାମୁଦ୍ରିକ ଝଡ଼ 'ୟାସ'କୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ବିଶେଷ କରି ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ସେହିପରି ଡଙ୍ଗା, ଜାଲ ସୁରକ୍ଷିତ ଜାଗାରେ ରଖିବାକୁ କୁହାଯାଇଛି। ପ୍ରଶାସନ ସଚେତନତା ପରେ ମତ୍ସଜୀବୀ ମାନେ ଗତ 5 ଦିନ ହେବ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇ ନାହାନ୍ତି। ସେହିପରି ଡଙ୍ଗା, ଜାଲ ଆଦିକୁ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। ଗତ 2019 ମେ ମାସ ଫୋନି ବାତ୍ୟା ପୁରୀରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ସେହି ଭୟଙ୍କର ଦୃଶ୍ୟ ଏବେ ପୁଣି ମନେ ପକାଇ ଭୟଭୀତ ହୋଇ ପଡିଛନ୍ତି ମତ୍ସ୍ୟଜୀବୀ । ତେବେ ଭୟଭୀତ ନ ହୋଇ ପ୍ରଶାସନ ର ନିର୍ଦ୍ଦେଶକୁ ମାନିବାକୁ କୁହାଯାଇଛି।
ସେପଟେ ପୁରୀରେ ୟାସର ଅଧିକ ପ୍ରଭାବ ସମ୍ଭାବନା କମ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ଥିବା ବେଳେ କୋଭିଡ ସମୟରେ କିଭଳି ଲୋକଙ୍କୁ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ରଖାଯିବ ସେ ନେଇ ବିଶେଷ ଧ୍ୟାନ ଦିଆଯିବ। ସେହିପରି ବାତ୍ୟା ପରେ ପୁନ ନିର୍ମାଣ ନେଇ ବିଦ୍ୟୁତ , ପାନୀୟ ଜଳ , ଯୋଗାଯୋଗ ବ୍ୟବସ୍ଥା ପାଇଁ ସମସ୍ତ ବିଭାଗ ଅଧିକାରୀ ପ୍ରସ୍ତୁତ ଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ , ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି। ସେହିପରି ଲୋକ ମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରରେ ଅଯଥା ଗହଳି ନ ଲଗାଇବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଅଛି। ଏଣୁ ବଜାରରେ ଭିଡ଼ କରି କୋଭିଡ ସଂକ୍ରମଣ ନ ବଢ଼ାଇ ବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି।
ଏପଟେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ ଖଳା ଚଳଚଞ୍ଚଳ ଥିବା ବେଳେ ଆସନ୍ତାକାଲି ନୃସିଂହ ଚତୁର୍ଦ୍ଦଶୀରେ କୋଣ ଗୁଜ ଅନୁକୁଳ ହେବ। କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ବାୟୋ ବବଲ ଭିତ୍ତିରେ ରଥ ନିର୍ମାଣ ଚାଲି ଥିବା ବେଳେ ଆଉ ଜଣେ ରଥ ନିର୍ମାଣ ରେ ଥିବା କମାର ସେବାୟତ କୋଭିଡ ପଜେଟିଭ ଚିନ୍ହଟ ହୋଇ ଚନ୍ତି। ମୋଟ 22 ଜଣ ସେବକଙ୍କୁ କୋଭିଡ ସଂକ୍ରମଣ ହୋଇଛି। ତେବେ ରଥ ଖଳା ରେ କାର୍ଯ୍ୟ କରୁଥିବା କୌଣସି ସେବାୟତ ଙ୍କ ର କୋଭିଡ ପଜେଟିଭ ହୋଇ ନ ଥିବା ଜିଲାପାଳ କହିଛନ୍ତି। ଯେଉଁ ମାନେ କାମ କରିବାକୁ ଆସୁଛନ୍ତି ସେମାନଙ୍କ ଟେଷ୍ଟ ପରେ ନେଗେଟିଭ ସେବାୟତ ଙ୍କୁ ରଥ ନିର୍ମାଣ ରେ ନିୟୋଜିତ କରାଯାଇଛି। କୋଭିଡ ସଂକ୍ରମିତ ସେବାୟତ ଙ୍କ ଚିକିତ୍ସା କରାଯାଉଛି। ସେପଟେ ବାତ୍ୟା ୟାସ କୁ ନେଇ ରଥ ଖଳା କୁ କିଭଳି ସୁରକ୍ଷିତ ରଖାଯାଇ ପାରିବ , ରଥ କାଠ କିଭଳି ସୁରକ୍ଷିତ ରହିବ ସେ ନେବ ସମସ୍ତ ବ୍ୟବସ୍ଥା ହୋଇ ଥିବା ପୁରୀ ଜିଲାପାଳ କହିଛନ୍ତି। ତେବେ 25 ଓ 26 ତାରିଖ ପୁରୀରେ ପ୍ରବଳ ବର୍ଷା ଆଶଙ୍କା ଦେଖି ଦୁଇ ଦିନ ପରିସ୍ଥିତିକୁ ଦେଖି ରଥ ନିର୍ମାଣ କାର୍ଯ୍ୟ ବନ୍ଦ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ