ପୁରୀ: ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ । କୋରୋନାର ଦ୍ଵିତୀୟ ଲହର ସତ୍ବେ ରଥ ନିର୍ମାଣ ତ୍ବରାନ୍ବିତ ହୋଇଛି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସହଯୋଗରେ ଏହା ସମ୍ଭବ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାର କହିଛନ୍ତି ।
ଗତକାଲି (ମଙ୍ଗଳବାର) ୯ ଦିନ ପୂର୍ବରୁ ତିନି ରଥର ଚାରି ନାହାକା ଉଠିଥିଲା । ରଥନିର୍ମାଣ ଆରମ୍ଭରୁ ୨୬ ଜଣ ସେବକ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ରଥନିର୍ମାଣ ଠିକ ସମୟରେ ସରିବ ନା ନାହିଁ ସେନେଇ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ପରେ ରଥନିର୍ମାଣ ଜୋର ଧରିଥିଲା । ଏବର୍ଷ ରଥନିର୍ମାଣ ବେଶ ଆଗୁଆ ଚାଲିଛି । ତେବେ ଆଜି ତିନି ରଥରେ ଛନ୍ଦା ଗୟଲ ପକାଯାଇଛି । ଏହାପରେ 6 କାଠ ଓ 14 ନାହାକା ପଡି ପ୍ରଥମ ଭୂଇଁ ଉଠିବ ।
ଅନ୍ୟପଟେ, ରୂପକାର ସେବକମାନେ ତିନି ରଥରେ କାର୍ଯ୍ୟ ଜାରି ରଖିଛନ୍ତି । ମହାପ୍ରଭୁଙ୍କ ରଥ କାର୍ଯ୍ୟ ବେଶ ଆଗୁଆ ଥିବାରୁ ସେବାୟତ ବେଶ ଉତ୍ସାହିତ ଅଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ