ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ଥାନା ଦିଘାଲ ମୁସଲିମ ବସ୍ତିରେ ଅଭାବନୀୟ ଘଟଣା । ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ବାମୀ । ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି ପୋଲିସ । ତେବେ ପାରିବାରିକ କଳହ ଯୋଗୁଁ ଏଭଳି ଘଟିଥିବା ଅନୁମାନ କରାଯାଉଛି । ସୂଚନାନୁସାରେ ଦିଘାଲସ୍ଥିତ ମୁସଲିମ ବସ୍ତିର ବାସିନ୍ଦା ଓରଫାନ ଖାନ ସ୍ତ୍ରୀ ତାରୁନ ବିବିଙ୍କୁ ନିର୍ମମ ଭାବରେ ହତ୍ୟା କରିଛି । ରବିବାର ରାତିରେ ଏକ ବ୍ଲେଡରେ ତଣ୍ଟି କାଟିଛି ଅଭିଯୁକ୍ତ । ଏନେଇ ପୋଲିସ ଆଗରେ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭାଇ । ଅନ୍ୟପକ୍ଷରେ ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ନିମାପଡ଼ା SDPO ପହଞ୍ଚି ତଦନ୍ତ କରିଥିଲେ ।
ଗତ କିଛବର୍ଷ ହେବ ମୃତକଙ୍କ ସ୍ବାମୀ ପତ୍ନୀ ତାରୁନଙ୍କୁ ନିର୍ଯାତନା ଦେଉଥିଲେ । ଘର କଳି ପଦାରେ ପଡ଼ିଲେ ଅନେକଥର ଭଦ୍ର ଲୋକଙ୍କ ଉପସ୍ଥିତରେ ସମାଧାନ ବି ହୋଇଛି । ତେବେ ରବିବାର ତାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ମୃତ ମହିଳାଙ୍କ ସ୍ବାମୀଙ୍କ ସହିତ ତାଙ୍କ ପରିବାର ଲୋକଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଛି । ସମସ୍ତଙ୍କୁ ପୋଲିସ୍ ତଦନ୍ତ କରି ଗିରଫ କରୁ ବୋଲି ମୃତକଙ୍କ ଭାଇ ନିମାପଡା ଥାନାରେ ଅଭିଯୋଗ କରିଛନ୍ତି ।
ଏହାକୁ ନେଇ ମୃତକଙ୍କ ଭାଇ କହିଛନ୍ତି, "ବାହାଘର ପରେ ସବୁକିଛି ଠିକ୍ଠାକ୍ ଚାଲିଥିଲା । ହେଲେ ହଠାତ ବାହାଘରର କିଛି ବର୍ଷ ପରେ ଓରଫାନ ଭଉଣୀକୁ ସବୁବେଳେ ନିର୍ଯାତନା ଦେଇ ଆସୁଥିଲା । ବାପଘରୁ ଅଧିକ ଟଙ୍କା ଆଣିବାକୁ କହୁଥିଲା । ମୋ ଭଉଣା ତାହା ମନା କରିବାରୁ ନିର୍ଧୁମ ମାଡ଼ ମାରୁଥିଲା ଓରଫାନ । ଏପରିକି ୨ ଛୁଆଙ୍କୁ ମଧ୍ୟ ଅନେକ ସମୟରେ ମାରପିଟ କରେ । ଏନେଇ ଆମେ ଯାଇ ସେଠାକାର କିଛି ଭଦ୍ର ଲୋକଙ୍କୁ ଡାକି ସମାଧାନ କରିଥିଲୁ । ହେଲେ ଓରଫାନ କିଛିଦିନ ସୁଧୁରିବା ପରେ ପୁଣିଥରେ ସେ ସେମିତି ବ୍ୟବହାର କରେ । ହେଲେ ଗତାକଲି କୌଣସି ଏକ କଥାକୁ ନେଇ ଓରଫାନ ମୋ ଭଉଣୀକୁ ମାଡ଼ ମାରିଛି । ଏହାସହ ଉଭୟଙ୍କ ଭିତରେ ପାଟିତୁଣ୍ଡ ବି ହୋଇଛି । ଯେଉଁଥିରେ ଉତକ୍ଷୀପ୍ତ ହୋଇ ଓରଫାନ ଏକ ଧାରୁଆ ଅସ୍ତ୍ରରେ ମାେ ଭଉଣୀର ବେକ କାଟି ଦେଇଛି । ଏଥିରେ ଗୁରୁତର ଅବସ୍ଥାରେ ତାକୁ ସ୍ଥାନୀୟ ଲୋ କେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ମୋତେ ଫୋନ କରିଥିଲେ । ମୁଁ ଖବର ପାଇ ସେଠାରେ ପହଞ୍ଚିଲା ବେଳକୁ ମୋ ଭଉଣୀର ମୃତ୍ୟୁ ହୋଇସାରିଥିଲା । ତେଣୁ ପୋଲିସ ଏହାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ ।"
ଇଟିଭି ଭାରତ, ପୁରୀ