ପୁରୀ: ସ୍ବର୍ଣ୍ଣାଭ ବେଳାଭୂମିରେ ବିଶ୍ବର ସବୁଠାରୁ ବଡ ସ୍ୟାଣ୍ଡ ଆର୍ଟ ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। କରୋନା ସଂକ୍ରମଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ 100 ଫୁଟ୍ ଲମ୍ବାର ନିର୍ମାଣ କରିଛନ୍ତି ସବୁଠାରୁ ବଡ ମାସ୍କ। ବଡଦିନ ଥିବାରୁ ଏହି ମାସ୍କକୁ ଦୁଇଜଣ ସାନ୍ତାକ୍ଲଜ୍ ଧରି ସଚେତନତାର ବାର୍ତ୍ତା ଦେଇଛନ୍ତି।
ପ୍ରାୟ 6 ହଜାର ବର୍ଗଫୁଟ୍ ପରିମିତ ଅଞ୍ଚଳରେ ନିର୍ମିତ ଏହି 3D ବାଲୁକାକଳା ବେଶ୍ ଆକର୍ଷଣୀୟ ହୋଇଛି। ଗତ 2012 ମସିହାରେ 4900 ବର୍ଗଫୁଟ୍ ଅଞ୍ଚଳରେ ବାଲୁକାକଳା ନିର୍ମାଣ କରି ବାଲୁକାଶିଳ୍ପୀ ସୁଦର୍ଶନ ଲିମକା ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇଥିଲେ ।
ପ୍ରତ୍ୟେକ ବର୍ଷ ସୁଦର୍ଶନ ବଡଦିନ ଅବସରରେ ସାନ୍ତାକ୍ଲଜ୍ ନିର୍ମାଣ କରି ଅନେକ ବିଶ୍ବ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ବାଲୁକାକଳା ମାଧ୍ୟମରେ ସେ ସମସ୍ତଙ୍କୁ ବଡଦିନର ଶୁଭେଚ୍ଛା ଜଣାଇଛନ୍ତି । ନୀଳାଦ୍ରି ବେଳାଭୂମିରେ ସୁଦର୍ଶନଙ୍କ ଦ୍ଵାରା ଆୟୋଜିତ ଏହି ବାଲୁକାକଳା ଦେଖି ପର୍ଯ୍ୟଟକମାନେ ବେଶ୍ ଖୁସି ଜାହିର କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ