ଭୁବନେଶ୍ବର: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ କଳା ଠାକୁର । ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଦାରୁବିଗ୍ରହ । ଏହି ବାହୁଡ଼ା ଯାତ୍ରାରେ ଭକ୍ତର ପ୍ରାଣଧନ, ଜୀବର ଜୀବନ କାଳିଆ, ବଳିଆ ଓ ଭଉଣୀ ସୁଭଦ୍ରାଙ୍କୁ ଦିବ୍ୟ ରୂପ ସହ ଯାତ୍ରାର ଅବଲୋକନ ପାଇଁ ଭକ୍ତ, ଭକ୍ତି, ରଥ, ପଥ, ଶରଧାବାଲି ସମସ୍ତେ ବ୍ୟାକୁଳତାର ସହ ଚାହିଁ ରହିଛନ୍ତି । ଜନସମାଗମକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ହରିଶୟନ ଏକାଦଶୀ, ବାହୁଡ଼ା ଯାତ୍ରା ବା ଦକ୍ଷିଣାଭୂମୁଖୀ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ମଧ୍ୟାହ୍ନ 12ରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ ସୁଦ୍ଧା ଶେଷ ହେବ ବୋଲି ନୀତି ଚୂଡ଼ାନ୍ତ ହୋଇଛି । ସେହିଭଳି ରଥଟଣା ପାଇଁ ଅପରାହ୍ନ 4ଟାରେ ନୀତି ନିର୍ଘଣ୍ଟ କରାଯାଇଛି ।
ଆଜି ସକାଳ ସକାଳ ୭ରୁ ୧୧ଟା.30 ଭିତରେ ସେନାପଟା ଲାଗି, ମଧ୍ୟାହ୍ନ 12ଟାରୁ 2.30ରୁ ଯାଏଁ ବାହୁଡା ପହଣ୍ଡି ନୀତି ନିର୍ଘଣ୍ଟ ହୋଇଛି । ସେହିପରି ଅପରାହ୍ନ 2ଟା.30ରୁ ୩ଟା୩୦ ମଧ୍ୟରେ ଛେରାପହଁରା ହେବ । ପରେ ଚାରମାଳ ଫିଟା ପରେ ଘୋଡ଼ା ଲାଗି ହୋଇ ଅପରାହ୍ନ ୪ଟାରେ ରଥଟଣା ହେବ ବୋଲି ନୀତି ଚୂଡ଼ାନ୍ତ ହୋଇଛି ।
ସେହିପରି ୧୩ ତାରିଖ ଦିନ ଦ୍ବାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ବଡ଼ ଚଢ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ସୁନାବେଶ ପରଦିନ ଅର୍ଥାତ ୧୪ ତାରିଖରେ ଅଧରପଣା ନୀତି ସଂପନ୍ନ ହେବ । 15 ତାରିଖରେ ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ