ପୁରୀ: ପୁଣି ଜୋରଦାର ହେଲା ତିନି ରଥ ନିର୍ମାଣ କାର୍ଯ୍ୟ । ସମ୍ଭାବ୍ୟ ବାତ୍ୟା ୟସ ପ୍ରଭାବକୁ ଦୃଷ୍ଟିରେ ରଖି ରଥଖଳାରେ ରଥନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ୟସ ବିପଦ ଟଳିବା ପରେ ବୁଧବାର ଅପରାହ୍ନରୁ ରଥନିର୍ମାଣ ଆରମ୍ଭ ହୋଇଛି । ରଥଖଳା ଚାଳିକୁ ପୂର୍ବଭଳି ପ୍ରସ୍ତୁତ କରି ଆବଶ୍ୟକ କଟକଣା ଲାଗୁ କରାଯାଇଛି ।
ଭୋଇ ସେବକ ରଥଖଳାରେ ଛାଞ୍ଚ ପକାଇବା ପରେ ଖୋଲି ଦିଆଯାଇଥିବା କପଡାକୁ ପୁଣି ବାନ୍ଧି ଘେଡାଇ ଦେବା ସହ ସର୍ବସାଧାରଣଙ୍କ ଚଳାଚଳ ଉପରେ କଟକଣା ଲଗାଯାଇଛି । ରଥଖଳାରେ ତୁମ୍ବ ବିନ୍ଧ ସହ ଗୁଜ କାମ ଚାଲିଛି । ତିନି ରଥର ୪୨ ତୁମ୍ଭରୁ ୧୨ଟି ତୁମ୍ବ ର ବିନ୍ଧ କାମ ସରିଛି । ଆଉ ୭ ତୁମ୍ବର ୧୬ଯୋଡ଼ା ବିନ୍ଧ କାମ ଜାରି ରହିଛି । ସେପଟେ ରୂପକାର ସେବକ କୋଣଗୁଜ କାମକୁ ତ୍ବରାନ୍ବିତ କରିଛନ୍ତି । ଗୁଜ ପଟାରେ ଖୋଦେଇ କରି ନୃସିଂହ ପ୍ରତିଛବି ଆଙ୍କୁଛନ୍ତି । ସେପଟେ ପୁରୀରେ କୋରୋନା ସଂକ୍ରମଣ କମ ହେବାର ନାଁ ଗନ୍ଧ ଧରୁନାହିଁ ।
ବାୟୋ ବବଲ ସୁରକ୍ଷା ବଳୟରେ ରଥନିର୍ମାଣ କାମ ଜୋର ଧରିଛି । ଆସନ୍ତା ଶ୍ରୀକ୍ଷେତ୍ର ଭଉଁରୀ ଦିନ ତିନିରଥର ଦୁଇଟି ଲେଖାଏଁ ଚକ ହିସାବରେ ୬ଟି ଚକ,ଅଖ ସଂଯୋଗ କରାଯାଇଯିବ ।
ବୁଧବାର ଜିଲ୍ଲାରେ ୪୬୨ଜଣ ଓ ଗୁରୁବାର ୨୬୩ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସହରାଞ୍ଚଳ ପରେ ପୁରୀରେ ଗ୍ରାମାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ହୋଇଛି । କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇଟି କୋଭିଡ ହସ୍ପିଟାଲରେ ୫୦ପ୍ରତିଶତ ଆଇସିୟୁ ସହ ଏଚଡିୟୁ ଖାଲି ରହିଛି । ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ କୋଭିଡ ପରିଚାଳନା ପାଇଁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଇଛି । ଅକ୍ସିଜେନ ସହ ଭେଣ୍ଟିଲେଟର ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ