ନୂଆପଡା: ଜିଲ୍ଲାର ପୁରପଲ୍ଲୀରେ ମହିଳାଙ୍କ ଦ୍ବାରା ସାବିତ୍ରୀ ବ୍ରତ ହର୍ଷୋଲ୍ଲାସରେ ସମ୍ପନ୍ନ ହୋଇଛି । ଲକଡାଉନ ଓ କୋରୋନା ଭୟରେ ସାମାନ୍ୟ ଫିକା ପଡିଥିଲେ ମଧ୍ୟ ଘରେ ଘରେ ଉତ୍ସବ ଦେଖିବାକୁ ମିଳିଥିଲା । ପବିତ୍ର ସାବିତ୍ରୀ ବ୍ରତକୁ ନେଇ ଖଡିଆଳ ବ୍ଳକ ନେହେନା ଗ୍ରାମ ମିଳପଡାଠାରେ ବ୍ରତଧାରୀ ମହିଳାଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି ।
ଶୁକ୍ରବାର ମହିଳାମାନେ ପ୍ରାତଃରୁ ନିତ୍ୟକର୍ମ ସାରି ବ୍ରତ ପାଇଁ ସଜବାଜ ହୋଇଥିଲେ । ଏକାଠି ହୋଇ ମହିଳାମାନେ ତୁଳସୀ ଚଉରା ମୂଳେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରିଥିଲେ । ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ସ୍ବର୍ଗ, ମର୍ତ୍ତ୍ୟ, ପାତାଳ, ଚତୁର୍ଥ ଦିଗକୁ ସାକ୍ଷୀ ରଖି ବ୍ରତ ପାଳନ କରିଛନ୍ତି ସମୂହ ମହିଳା ।
ଉପବାସ ରହି ସତୀ ସାବିତ୍ରୀ ଓ ସତ୍ୟବାନଙ୍କ ପୁରାଣ ବର୍ଣ୍ଣିତ ଜୀବନ ଚରିତ୍ରକୁ ଗାନ କରିଛନ୍ତି ମହିଳା । ହୁଳହୁଳି, ଶଙ୍ଖ, ଘଣ୍ଟା ଧ୍ବନୀରେ ପ୍ରକମ୍ପିତ ହୋଇଛି ନେହେନା ଗ୍ରାମ ମିଳପଡା ସାହି । ସମସ୍ତ ବ୍ରତଧାରୀ ମହିଳା ଏକାଠି ହୋଇ ହସଖୁସିରେ ଏହି ପର୍ବ ପାଳିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ