ନୂଆପଡା: ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ଗୋଟିଏ ପଲିଥିନ ତଳେ ଚଳୁଛନ୍ତି 10 ପ୍ରାଣୀ । ଦିନରେ ସୁରୁଜ ରାତିରେ ଜହ୍ନକୁ ଦେଖି ଗଡୁଛି ଦିନ । ଦିନ ତ ଯେଣେତେଣେ କଟିଯାଉଛି ହେଲେ ରାତିରେ ମାଡି ଆସୁଛି ବିପଦ । ଆମେ କହୁଛୁ ନୂଆପଡା ଜିଲ୍ଲା ବୋଡେନ ବ୍ଲକର ଜୟବାହାଲ ଗାଁରେ ରହୁଥିବା ଚୈତନ୍ୟ ଅଦାଙ୍କ କଥା ।
ଚୈତନ୍ୟ ପରିବାରଙ୍କ ପରିବାର କହିଲେ 10 ପ୍ରାଣୀ କୁଟୁମ୍ବ । ଘର କହିଲେ ପଲିଥିନ ଦ୍ବାରା ଆଚ୍ଛାଦିତ ଭଙ୍ଗା ଦଦରା ଘର । ଏହି ଘରେ ରୁହନ୍ତି ଚୈତନ୍ୟଙ୍କ ପରିବାର । ତେବେ ସବୁ ଚାଲିଥିଲା ଠିକଠାକ ହଠାତ୍ 2017 ମସିହାରେ ଚୈତନ୍ୟଙ୍କ ମାଟି ଘର ମାଟିରେ ମିଶିଗଲା । ଅଭାବୀ ଅନଟନ ପରିବାର, ଘରେ ଖଣ୍ଡେ କରିବାକୁ ସକ୍ଷମ ହେଲେନି । ଯେଉଁଠି ଦିନକୁ 3 ଓଳି ଖାଦ୍ୟ ଯୋଗାଡିବା ମୁସ୍କିଲ ହୋଇଯାଏ, ସେଠି ଘର କରିବା ସତେ ଯେମିତି ଦିବା ସ୍ବପ୍ନ । ଘର ଖଣ୍ଡେ ପାଇଁ ଚୈତନ୍ୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସଭିଙ୍କୁ ଜଣାଇଛନ୍ତି । ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ।
ଚୈତନ୍ୟଙ୍କ ସମସ୍ୟା ନେଇ ଆମେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟିଥିଲୁ । ସେ ଖୁବଶୀଘ୍ର ତାଙ୍କ ପରିବାରକୁ ଘର ଖଣ୍ଡେ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ