ନୟାଗଡ: ରଣପୁର କୋର୍ଟ ପରିସରରେ ଶିକ୍ଷକଙ୍କ ଦବଙ୍ଗଗିରି । ପୋଲିସର ଉପସ୍ଥିତିରେ ଶିକ୍ଷକ ଜଣକ ଦୁର୍ବବ୍ୟହାର କରିବା କାରଣରୁ ପୋଲିସ ଗିରଫ କରିଛି । ସୂଚନାନୁସାରେ, ରଣପୁର ଥାନା ବଧିପାଟଣା ଗ୍ରାମର ଜଣେ ବ୍ୟକ୍ତି ପୁରୀରେ ରହୁଥିବା ବେଳେ ତାଙ୍କ ନାବାଳିକା ଝିଅ ପୁରୀରୁ ଜୁନ ମାସରେ ନିଖୋଜ ହୋଇଯାଇଥିଲା । ପୋଲିସ ପ୍ରଥମେ ନାବାଳିକାକୁ ଉଦ୍ଧାର କରିଥିଲେ ମଧ୍ୟ ସେ ପୁଣି ନିଖୋଜ ହୋଇଯାଇଥିଲା ।
ଶନିବାର ପୋଲିସ ପୁଣି ଉଦ୍ଧାର କରି କୋର୍ଟରେ ହାଜର କରିଥିବା ବେଳେ ଉକ୍ତ ଗ୍ରାମର ରଘୁନାଥ ରଣସିଂହଙ୍କ ପୁଅ ନବକିଶୋର ରଣସିଂହ କୋର୍ଟ ଭିତରେ ପଶି ଭଦ୍ରଲୋକି ଦେଖାଇବାକୁ ଯାଇ ଦବଙ୍ଗଗିରି ଦେଖାଇଥିଲେ । ଏପରିକି ପୋଲିସକୁ କିଛି ଜଣାନାହିଁ ବୋଲି କହି କୋର୍ଟ ଭିତରେ କରି ପାଟିତୁଣ୍ଡ କରିଥିବା ଜଣାପଡିଛି ।
ନବକିଶୋର କୁଳାସର ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ବୋଲି ସୂଚନା ମିଳିଛି । ଯାହାକୁ ନେଇ ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡି ଅଧିକାରୀଙ୍କ ଅଭିଯୋଗରେ ରଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ନବକିଶୋରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କୋର୍ଟରେ ତାଙ୍କ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲ୍ ଯିବାକୁ ପଡିଛି । ପୋଲିସ ପକ୍ଷରୁ ଶିକ୍ଷା ବିଭାଗକୁ ଏ ନେଇ ଏକ ଚିଠି ଯୋଗେ ଅବଗତ କରାଯାଇଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ