ନୟାଗଡ଼: ବିଜେପିରେ ମିଶିଲେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ବିଜେଡି କର୍ମୀ । ପୂର୍ବତନ କନ୍ଧମାଳ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ନେତୃତ୍ବରେ ଓଡଗାଁରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ତେବେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ନେତୃତ୍ବରେ ବିଜେଡିରେ କାର୍ଯ୍ୟ କରୁଥିବା କର୍ମୀ ଦଳ ଛାଡ଼ିବା ନୟାଗଡ଼ ରାଜନୀତିକୁ ଯେତିକି ସରଗରମ କରିଛି, ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟଙ୍କ ଅନୁପସ୍ଥିତିରେ ରାଣୀ ପ୍ରତ୍ୟୁଷାଙ୍କ ସଭା ଆୟୋଜନ କରିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ନୟାଗଡ଼ ଜିଲ୍ଲା ଓଡଗାଁରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ନେତୃତ୍ବରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ନେତ୍ରୀ ପ୍ରତ୍ୟୁଷା ଏକ ବାଇକ ଶୋଭାଯାତ୍ରାରେ ନୟାଗଡ଼ରୁ ବାହାରି ସାକେରି ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ବିଜେପିର ସଭା ଅନୁଷ୍ଠିତ ହୋଇଥିଲା । ତେବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଜେଡିର ବରିଷ୍ଠ ନେତା ଅରୁଣ ସାହୁଙ୍କ ନେତୃତ୍ବରେ ବିଜେଡିରେ କାର୍ଯ୍ୟ କରୁଥିବା ଓଡଗାଁ ବ୍ଲକର ବିଜେଡି କର୍ମୀମାନେ ବିଜେପିରେ ଯୋଗଦେବା ନୟାଗଡ଼ ରାଜନୀତିରେ ଉଷ୍ମତା ଭରିଛି ।
ସେପଟେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟ ଏବଂ ବିଜେପି ନେତ୍ରୀ ଇରାନୀ ରାୟଙ୍କୁ ଏହି ସଭାରେ ଦେଖିବାକୁ ମିଳିନଥିଲା । ଉଭୟଙ୍କ ଅନୁପସ୍ଥିତିରେ ନୟାଗଡ଼ ରାଣୀ ପ୍ରତ୍ୟୁଷା ରାଜେଶ୍ବରୀଙ୍କ ସମାନ୍ତରାଳ ସଭା ଆୟୋଜନକୁ ନେଇ ରାଜନୀତି ଜୋର ଧରିଛି । ତେବେ ଏହି ସଭାରେ ବିଜେପିର ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ନୟାଗଡ଼