ନବରଙ୍ଗପୁର: ସହରର ଜଣେ ବିବାହିତ ମହିଳାଙ୍କୁ ପଞ୍ଜାବର ଯୁବକ ଫେସବୁକରେ ବନ୍ଧୁତ୍ୱ କରିବାକୁ ଅନୁରୋଧ ପଠାଇଥିଲେ। ମହିଳା ଜଣକ ଯୁବକଙ୍କ ଅନୁରୋଧକୁ ସ୍ବୀକାର କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ଗଢି ଉଠିଥିଲା ଏବଂ ଉଭୟ ଫେସବୁକରେ ଚାଟିଂ ବି କରୁଥିଲେ।
କିଛିଦିନ ଯିବାପରେ ଯୁବକ ଜଣକ ମହିଳାଙ୍କୁ ଅନେକ ଥର ପ୍ରେମ ନିବେଦନ କରିଥିଲେ। କିନ୍ତୁ ବିବାହିତ ମହିଳା ଜଣକ ଯୁବକର ପ୍ରେମ ନିବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଏହାପରେ ଯୁବକ ଜଣକ ମହିଳାଙ୍କୁ ଧମକ ଦେଇ ପ୍ରେମ ନିବେଦନ ସ୍ବୀକାର ନକଲେ ଫଟୋ ସହ ତ ପରିବାରର ସମସ୍ତଙ୍କ ଫଟୋ ଗୁଡିକୁ ଅଶ୍ଳୀଳ ଏଡିଟିଙ୍ଗ କରି ଭାଇରାଲ କରିଦେବି ବୋଲି ବ୍ଲାକମେଲିଙ୍ଗ କରିଥିଲେ। ତଥାପି ମହିଳା ଜଣକ ନମାନିବାରୁ ମହିଳାଙ୍କ ଫଟୋ ଗୁଡିକୁ ଏଡିଟିଙ୍ଗ ମାଧ୍ୟମରେ ଅଶ୍ଳୀଳ ରୂପେ ଦର୍ଶାଇ ଫେସବୁକରେ ଭାଇରଲ କରିଥିଲେ।
ବିବାହିତ ମହିଳା ଜଣକ କୌଣସି ଉପାୟ ନପାଇ ଶେଷରେ ଏକ ମାସ ତଳେ ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଏତଲା ଦେଇଥିଲେ। ଏହାର କିଛିଦିନ ପରେ ଯୁବକ ଜଣକ ମହିଳାଙ୍କୁ ପୁଣିଥରେ କଲ୍ କରି ମୁଁ ନବରଙ୍ଗପୁର ଆସିବି ତୁ ମୋ ସହ ଆସିବୁକି ନାଁ ବୋଲି ପଚାରିବାରୁ ମହିଳା ଜଣକ ଚତୁରତାର ସହ ହଁ ମୁ ଆସିବି ତୁ ଆସେ ବୋଲି କହିବା ପରେ ଯୁବକ ଜଣକ ନବରଙ୍ଗପୁର ନୂଆ ବସଷ୍ଟାଣ୍ଡ ଆସି ପହଁଞ୍ଚିଥିଲେ।
ତେବେ ଯୁବକ ଜଣକ ମହିଳାଙ୍କୁ ନବରବରଙ୍ଗପୁର ପହଞ୍ଚି ଯାଇଥିବା ସୂଚନା ଦେବାପରେ, ମହିଳା ଜଣକ ନବରଙ୍ଗପୁର ପୋଲିସକୁ ଧରି ଯୁବକଙ୍କ ନିକଟରେ ପହଞ୍ଚିବା ସହ ପୋଲିସ ଯୁବକକୁ ଧରି ଥାନାକୁ ନେଇଯାଇଥିଲେ। ଏବେ ପୀଡିତା ମହିଳା ଅଚିହ୍ନା, ଅଜଣା ଯୁବକ ସହ ଫେସବୁକରେ ବନ୍ଧୁତ୍ବ କରି ପସ୍ତାଉଥିବାବେଳେ ବେଳେ ଅଭିଯୁକ୍ତକୁ କଠୋର ଦଣ୍ଡ ମିଳୁ ବୋଲି କହିଛନ୍ତି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ