ନବରଙ୍ଗପୁର: ଆଜି(ରବିବାର) ନବରଙ୍ଗପୁର ସହରସ୍ଥିତ ଦଶରାପଦା ଠାରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୂହିକ ଅଭ୍ୟାସ ଆୟୋଜନ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେପରି ଧନ ଜୀବନ ନଷ୍ଟ ନହୁଏ ସେଥିପ୍ରତି ପ୍ରଶାସନ ସବୁବେଳେ ସଜାଗ ଥିବା ବେଳେ ଆବଶ୍ୟକ ସମୟରେ କିପରି ଓଡ୍ରାଫ ଯବାନ ମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ନିୟୋଜିତ ହୁଅନ୍ତି ତାହାର ଏକ ମକଡ୍ରିଲ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ମକଡ୍ରିଲ ପ୍ରୋଗ୍ରାମକୁ କୋରାପୁଟର ସେଭେନ୍ଥ ବାଟାଲିୟନ ଓଡ୍ରାଫ ୟୁନିଟ ସମ୍ପାଦନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଯୋଗ ଦେବା ସହ ସାଧାରଣ ଜନତା ମଧ୍ୟ ଉପସ୍ଥିତ ରହି ଏହି ମକଡ୍ରିଲର ମଜା ଉଠାଇଥିଲେ । ବନ୍ୟା ବାତ୍ୟା ଭଳି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ସରଞ୍ଜାମ ସହ ପ୍ରତିକୂଳ ପରିସ୍ଥିତିରେ ସାଧାରଣ ଜନତାଙ୍କ ଧନ ଜୀବନ ରକ୍ଷା କରିବାରେ ଯେଉଁସବୁ ପଦକ୍ଷେପ ନିଆଯାଏ ସେସବୁର ଅଭ୍ୟାସ କରି ଦେଖାଇଥିଲେ ଯବାନ ମାନେ । ବନ୍ୟା ପାଣିରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ହେଉ କିମ୍ବା ଗଛ ପଡ଼ିଥିବା ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର ଏସବୁ କାର୍ଯ୍ୟ ଅତି ଯତ୍ନ ସହକାରେ କିପରି କରାଯାଏ ତା’କୁ ଦେଖି ସାଧାରଣ ଜନତାଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢ଼ିବା ସହ ସେମାନେ ମଧ୍ୟ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।
ଇଟିଭି ଭାରତ, ନବରଙ୍ଗପୁର